ଗଣତନ୍ତ୍ରର ମନ୍ଦିର ଆକ୍ରମଣକୁ ୨୦ ବର୍ଷ, ଶହୀଦଙ୍କୁ ଝୁରୁଛି ଦେଶ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ହୋଇଥିବା ଆକ୍ରମଣକୁ ପୂରିଛି ୨୦ ବର୍ଷ। ୨୦୦୧ ମସିହା ଡିସେମ୍ବର ୧୩ରେ ପାର୍ଲାମେଣ୍ଟ ଭବନ ଉପରେ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ପାର୍ଲାମେଣ୍ଟ ପରିସରରେ ପଶି ଆକ୍ରମଣ କରିଥିଲେ। ଯାହା ଦେଶକୁ ସ୍ତବ୍ଧ କରି ଦେଇଥିଲା। ସେ ଦିନର ଛାତିଥରା ଦୃଶ୍ୟ ଆଜିବି ଦେଶବାସୀଙ୍କ ମନରେ ଉଜ୍ଜୀବିତ ହୋଇ ରହିଛି। ଆକ୍ରମଣରେ ୯ଜଣଙ୍କୁ ହରାଇଥିଲା ଆମ ଦେଶ।

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଏବଂ ଜୈସ-ଇ- ମହମ୍ମଦର ୫ ସଦସ୍ୟ ଏକ ଧଳା ଆମ୍ବାସଡର କାରରେ ଆସି ସଂସଦ ଭବନ ପରିସର ମଧ୍ୟକୁ ପ୍ରବେଶ କରିଥିଲେ। ଗୁଳିର ଶଦ୍ଦରେ ସେ ଦିନ ଥରି ଉଠିଥିଲା ସଂସଦ ଭବନ। ଆତଙ୍କୀ ଆସିଥିବା ଉକ୍ତ ଗାଡିରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ପାର୍ଲାମେଣ୍ଟର ଜାଲ ଷ୍ଟିକର ଲାଗିଥିଲା। ଏକେ୪୭,ରାଇଫଲ, ଗ୍ରେନେ଼ଡ ସହ ପ୍ରସ୍ତୁତ ହୋଇ ଆତଙ୍କବାଦୀମାନେ ସୁରକ୍ଷା ବଳୟ ଅତିକ୍ରମ କରି ସଂସଦ ପରିସରେ ଆତଙ୍କ ରଚିଥିଲେ।

ଏହି ଆକ୍ରମଣରେ ୯ ବୀର ସୁପୁତ୍ରଙ୍କୁ ହରାଇଥିଲା ଦେଶ। ଯିଏକି ନିଜ ଜୀବନକୁ ପାଣି ଝଡାଇ ଆତଙ୍କୀଙ୍କ ସାମ୍ନା କରିଥିଲେ। ଫଳରେ ସଂସଦ ଭିତରକୁ ପ୍ରବେଶ କରିବାକୁ ସକ୍ଷମ ହୋଇନଥିଲେ ଆତଙ୍କୀ। ସେତେବେଳେ ଅଟଳ ବିହାରୀ ବାଚପେୟୀଙ୍କ ସରକାର ଥିଲା ଓ ସଂସଦରେ ଶୀତ ଅଧିବେଶନ ଚାଲିଥିଲା। ଏହି ସମୟରେ କାଣ୍ଡ ଘଟାଇଥିଲେ ଆତଙ୍କୀ। ଶହୀଦ ବୀର ପୁଅ ହେଲେ ପି ଯାଦବ, ମତବର ସିଂ, କମଲେଶ କୁମାରୀ, ନାନାକ ଚନ୍ଦ, ରାମପାଲ, ଓମପ୍ରକାଶ, ଘନଶ୍ୟାମ ବିଜେନ୍ଦ୍ର ସିଂ ଓ ଦେଶରାଜ। ଏହା ଛଡା ଗଣମାଧ୍ୟମରେ ଜଣେ କ୍ୟାମେରାମ୍ୟାନ ବିକ୍ରମ ସିଂଙ୍କ ମୃତ୍ୟୁ ହୋଇଥିଲା।

ସଂସଦ ଉପରେ ଏହି ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା। ଘଟଣାର ତଦନ୍ତ କରି ସୁ୍ପ୍ରିମକୋର୍ଟ କାଶ୍ମୀର ଆତଙ୍କୀ ଅଫଜଲ ଗୁରୁକୁ ମାଷ୍ଟରମାଇଣ୍ଡ ଭାବେ ଦୋଷୀ କହିଥିଲେ। ଅଫଜଲକୁ ଫାଶୀ ଦଣ୍ଡାଦେଶ ହୋଇଥିଲା। ୨୦୧୩ ଫେବ୍ରୁଆରୀ ୯ରେ ଦିଲ୍ଲୀ ତିହାର ଜେଲରେ ଅଫଜଲକୁ ଫାଶୀ ଦିଆଯାଇଥିଲା।

ଏହି ଆକ୍ରମଣକୁ ୨୦ ବର୍ଷ ପୂରିଛି ହେଲେ ସେ ମୂହୁର୍ତ୍ତ ଆଜି ବି ମନରେ ଭୟ ସୃଷ୍ଟି କରେ। ଆକ୍ରମଣରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଭାରତୀୟ ଗଣତନ୍ତ୍ରର ମନ୍ଦିର ସଂସଦ ଗୃହରେ ଆତଙ୍କବାଦୀ ଆକ୍ରମଣରେ ଦେଶର ସୁରକ୍ଷା ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତ ସାହସୀ ସୁରକ୍ଷା ବାହିନୀର ସାହସ ଏବଂ ବୀରତ୍ୱକୁ ମୁଁ ପ୍ରଣାମ କରୁଛି। ସେମାନଙ୍କ ଅପୂର୍ବ ବୀରତ୍ୱ ଏବଂ ଅମର ବଳିଦାନ ଆମକୁ ସର୍ବଦା ଜାତିର ସେବା କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଗୃହମନ୍ତ୍ରୀ।