ରାଜଧାନୀରେ ୨ ହଜାର ପାର କଲା ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ବଢିବାରେ ଲାଗିଛି ଡେଙ୍ଗୁ ଆତଙ୍କ। କରୋନା ଭୟ ମଧ୍ୟରେ ଏବେ ରାଜଧାନୀ ଭୁବନେଶ୍ୱରରେ ଅଣାୟତ୍ତ ହେବାରେ ଲାଗିଛି ଡେଙ୍ଗୁ ସଂକ୍ରମଣ। ଡେଙ୍ଗୁ ବ୍ୟାପିବା ଆରମ୍ଭ ହେବାରୁ ରାଜଧାନୀରେ ସଂକ୍ରମଣକୁ ଆୟତ୍ତକୁ ଆଣିବା ପାଇଁ ବିଏମସି ପକ୍ଷରୁ ଅନେକ ଆକ୍ସନ ପ୍ଲାନ୍ କରାଯାଇଥିଲା। ଡେଙ୍ଗୁ ପ୍ରବଣ ଅଞ୍ଚଳରେ ସର୍ଭେଲାନ୍ସ କଡାକଡି ହେବା ସହିତ ସଫେଇ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଥିଲା। ମାତ୍ର ବିଏମସିର ଏସବୁ ଆକ୍ସନ ପ୍ଲାନ୍ ଏବେ ଫେଲ ମାରିଥିବା ଦେଖାଯାଉଛି ।

ବର୍ତ୍ତମାନ କେବଳ ଭୁବନେଶ୍ୱରରେ ୨ ହଜାର ପାର କରିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଯାହା ରାଜଧାନୀ ବାସୀଙ୍କ ଚିନ୍ତା ବଢାଇଛି। କରୋନା ଭୟାବହତା ଭିତରେ ଏତେ ମାତ୍ରାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଲୋକଙ୍କ ଠାରେ ଆତଙ୍କ ଖେଳାଇ ଦେଇଛି। ପ୍ରତିଦିନ କେବଳ ଭୁବନେଶ୍ୱରରୁ ୬୦-୭୦ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସବୁଠାରୁ ବଡ଼ କଥା ହେଲା ରାଜଧାନୀର ଏହି ଡେଙ୍ଗୁ ସଂକ୍ରମଣରେ ବ୍ରେକ୍ ମଧ୍ୟ ଲାଗୁନାହିଁ। ଶନିବାର ୭୩ ଜଣ ନୂଆ ଡେଙ୍ଗୁ ସଂକ୍ରମିତଙ୍କୁ ମିଶାଇ ରାଜଧାନୀରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ୨୦୩୨ ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୭୦୯ ଜଣ ସୁସ୍ଥ ହୋଇଥିବା ବେଳେ ୩୨୩ ଟି ଆକ୍ଟିଭ୍ କେସ୍ ରହିଥିବା ବିଏମସି ପକ୍ଷରୁ ତଥ୍ୟ ଦିଆଯାଇଛି।