ବାଲିଗୁଡ଼ାରେ ବାହୁଡା଼ ଯାତ୍ରା, ୧୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦିନ ତମାମ ସାମାନ୍ୟ ମେଘୁଆ ଓ ଖରା ପାଗ ମଧ୍ୟରେ ପବିତ୍ର ବାହୁଡା଼ ଯାତ୍ରା ବହୁ ଆଡ଼ମ୍ବର ସହ ପାଳିତ ହୋଇଯାଇଛି । ପୂର୍ବ ନିର୍ଘଣ୍ଟ ପ୍ରକାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପଲାଗି, ରୋଷ ହୋମ ଓ ଅବକାଶ ଅନୁଷ୍ଠିତ ହୋଇଥିଲା । ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ, ଖେଚୁଡ଼ି ଭୋଗ ଓ ମଙ୍ଗଳାର୍ପଣ ହେବା ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ କରି ୩ ରଥରେ ରଥାରୂଢ଼ କରାଯାଇ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା । ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ବାଦ୍ୟ, ନୃତ୍ୟ ଓ ଦଳଙ୍କ ନୃତ୍ୟରେ ସମଗ୍ର ପରିବେଶ ଭକ୍ତିମୟ ହୋଇ ଉଠିଥିଲା । ଏଥିରେ ୧୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ସନ୍ଧ୍ୟା ଆଳତୀ କରାଯାଇଥିଲା । ମନ୍ଦିର ପରିଚାଳନା ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଜୀବାନନ୍ଦ ମହାରଣା ଓ ସତ୍ୟ ନାରାୟଣ ପାଢ଼ୀଙ୍କ ସମେତ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପାନୀୟ ଜଳ, ପଣା ଓ ଭୋଗର ବ୍ୟବସ୍ଥା କରାଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲିଗୁଡ଼ା ପୁଲିସ ବିଭାଗ ତରଫରୁ ସମଗ୍ର ସହରରେ କଡ଼ାକଡ଼ି ପେଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।