୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏଥିରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ନେଇ ନିଷ୍ପତ୍ତି ନିଆଯାଇଛି। ଷ୍ଟାଡିୟମ ପାଇଁ ୬୯୩.୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ନିର୍ମାଣ କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ ହେବ। ଉକ୍ତ ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟିଟି ଓ ଭାରୋତ୍ତୋଳନ ଆଦି ଖେଳାଯିବ। ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଷ୍ଟାଡିୟମକୁ ଆଶ୍ରୟସ୍ଥଳୀ ରୂପେ ବ୍ୟବହାର କରାଯିବ। ମହାମାରୀ ବେଳେ ଡାକ୍ତରଖାନା ଭାବେ ମଧ୍ୟ ବ୍ୟବହାର କରାଯିବ।