ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ୱେଟ୍ଲିଫ୍ଟିଂ ମହାସଂଘ ପକ୍ଷରୁ ମିଳିତ ଭାବେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ଷ୍ଟାଡିୟମ୍ରେ ଚାଲିଥିବା ଜାତୀୟ ୱେଟ୍ଲିଫ୍ଟିଂ ଚାମ୍ପିଅନ୍ଶିପରେ ସୋମବାର ଓଡ଼ିଶାର ପ୍ରତିଯୋଗୀ ପୁନିତ ଚନ୍ଦ୍ର ସାହୁ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ସେ ପୁରୁଷ ଜୁନିୟର ୯୬ କିଗ୍ରା ବର୍ଗରେ କ୍ଲିନ ଏଣ୍ଡ ଜର୍କରେ ୧୬୭ କିଗ୍ରା ଉତ୍ତୋଳନ କରି ଏହି ରେକର୍ଡ କରିଥିଲେ ହେଁ ପରେ ଜୂନିୟର୍ ପୁରୁଷ ବର୍ଗରେ ୧୭୬ କିଗ୍ରା ଉତ୍ତୋଳନ ପୂର୍ବକ ହରିଆଣାର ଅମନ୍ ଏହାକୁ ଭଙ୍ଗ କରିଛନ୍ତି। ଏହି ଓଜନ ବର୍ଗରେ ପୁନିତ ସ୍ନାଚ୍ରେ ୧୨୧ କିଗ୍ରା ସହ ସର୍ବମୋଟ ୨୮୮ କିଗ୍ରା ଉତ୍ତୋଳନ କରି ର୍ୟାଙ୍କିଙ୍ଗ୍ ଟେବଲରେ ପଞ୍ଚମ ସ୍ଥାନରେ ରହିଛନ୍ତି।
ସୋମବାର ପୁନିତଙ୍କ ସହ ଅନ୍ୟ ପ୍ରତିଯୋଗୀମାନେ ବିଭିନ୍ନ ବର୍ଗରେ ୧୫ଟି ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୬ କିଗ୍ରା ବରିଷ୍ଠ ମହିଳା ବର୍ଗରେ ଆରଏସପିବିର ପୁନମ ଯାଦବ ସ୍ନାଚରେ ୯୯ କିଗ୍ରା ଉତ୍ତୋଳନ କରି ପୂର୍ବରୁ ନିଜ ନାମରେ ଥିବା ୯୮ କିଗ୍ରାର ରେକର୍ଡକୁ ଭଙ୍ଗ କରିଛନ୍ତି। ଏହାଛଡ଼ା ୯୬ କିଗ୍ରା ୟୁଥ ବାଳକ ବର୍ଗରେ ପଞ୍ଜାବର ଦିବଙ୍ଗ ସିଂ ସ୍ନାଚ୍ରେ ୧୨୫ କିଗ୍ରା ଉତ୍ତୋଳନ ପୂର୍ବକ ରେକର୍ଡ କରିଛନ୍ତି। ଏଥିସହ ସେ ଏହି ଓଜନ ବର୍ଗରେ କ୍ଲିନ ଏଣ୍ଡ ଜର୍କରେ ୧୫୪ କିଗ୍ରା ଓ ପରେ ୧୫୮ କିଗ୍ରା ଉତ୍ତୋଳନ କରି ଦୁଇଟି ରେକର୍ଡ କରିଥିଲେ। ସେ ସର୍ବମୋଟ ୨୭୯ ଏବଂ ୨୮୩ ଉତ୍ତୋଳନ କରି ଆଉ ଦୁଇଟି ରେକର୍ଡ କରିଥିଲେ। ସୋମବାର ଅନ୍ୟ ପ୍ରତିଯୋଗୀମାନେ କରିଥିବା ୪ଟି ନୂଆ ରେକର୍ଡକୁ ନିଜ ନାମରେ କରିଥିଲେ। ଅମନ୍ ମୋଟ ୩୦୬ କିଗ୍ରା ଉତ୍ତୋଳନ ପୂର୍ବକ ସୋମବାର ପ୍ରତିଷ୍ଠା ହୋଇଥିବା ୩ଟି ନୂଆ ରେକର୍ଡ ମଧ୍ୟ ତାଙ୍କ ନାମରେ କରିଥିଲେ।
୭୬ କିଗ୍ରା ବରିଷ୍ଠ ମହିଳା ବର୍ଗରେ ପୁନମ ଯାଦବ ସ୍ନାଚ୍ରେ ୯୯ କିଗ୍ରା ଓ କ୍ଲିନ ଏଣ୍ଡ ଜର୍କରେ ୧୧୫ କିଗ୍ରା ଏହିପରି ସର୍ବମୋଟ ୨୧୪ କିଗ୍ରା ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ଏହି ବର୍ଗରେ ତାମିଲନାଡୁର ଆର. ଆରୋଚକିୟା ଅଲିଶ ମୋଟ ୨୦୯ କିଗ୍ରା ଉତ୍ତୋଳନ ପୂର୍ବକ ରୌପ୍ୟ ଓ ମଣିପୁରର ସରଜୁବାଳା ଦେବୀ ମୋଟ ୧୯୬ କିଗ୍ରା ଓଜନ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆହୁରି ଜୁନିୟର ମହିଳା ୭୬ କିଗ୍ରା ବର୍ଗରେ ହରିଆଣାର ଜ୍ୟୋତି ଯାଦବ ମୋଟ ୧୮୪ କିଗ୍ରା ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହାରାଷ୍ଟ୍ରର ପ୍ରତୀକ୍ଷା କାଦୁ ମୋଟ ୧୭୨ କିଗ୍ରା ଉତ୍ତୋଳନ କରି ରୌପ୍ୟ ଓ ଆନ୍ଧ୍ରପ୍ରଦେଶର ପି. ଧାତ୍ରୀ ମୋଟ ୧୭୧ କିଗ୍ରା ଉତ୍ତୋଳନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ସେହିପରି ୭୬ କିଗ୍ରା ମହିଳା ୟୁଥ ବର୍ଗରେ ହରିଆଣାର ଶୀତଳ ମୋଟ ୧୪୯ କିଗ୍ରା ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁଡୁଚେରୀର ଭି. ଦେବୀ ମୋଟ ୧୪୮ କିଗ୍ରା ଉତ୍ତୋଳନ କରି ରୌପ୍ୟ ଓ ଉତ୍ତର ପ୍ରଦେଶର ଜ୍ୟୋତି ଯାଦବ ମୋଟ ୧୩୯ କିଗ୍ରା ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାତେଇବାରେ ସକ୍ଷମ ହୋଇଛନ୍ତି।
ତା’ଛଡ଼ା ୯୬ କିଗ୍ରା ସିନିୟର ପୁରୁଷ ବର୍ଗରେ ଅରୁଣାଚଳ ପ୍ରଦେଶର ସମ୍ବୋ ଲାପୁଙ୍ଗ ମୋଟ ୩୩୬ କିଗ୍ରା ଉତ୍ତୋଳନ ପୂର୍ବକ ସ୍ୱର୍ଣ୍ଣ, ଆରଏସପିବିର ଆରଭି ରାହୁଲ ୩୩୫ କିଗ୍ରା ଉତ୍ତୋଳନ କରି ରୌପ୍ୟ ଓ ଏସଏସସିବିର ଜଗଦୀଶ ୩୩୩ କିଗ୍ରା ଓଜନ ସହ ବ୍ରୋଞ୍ଜ୍ ପଦକ ପାଇଛନ୍ତି। ସେହିପରି ୯୬ କିଗ୍ରା ଜୁନିୟର ପୁରୁଷ ବର୍ଗରେ ହରିଆଣାର ଅମନ ସ୍ୱର୍ଣ୍ଣ, ମହାରାଷ୍ଟ୍ରର ତେଜସ ଲୋଖଣ୍ଡେ ରୌପ୍ୟ ଓ ଉତ୍ତର ପ୍ରଦେଶର ଅନୁକୂଶ କୁମାର ବ୍ରୋଞ୍ଜ ଜିତିଛନ୍ତି। ଆହୁରି ୯୬ କିଗ୍ରା ୟୁଥ ପୁରୁଷ ବର୍ଗରେ ପଞ୍ଜାବର ଦିଲବାଗ ସିଂହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆନ୍ଧ୍ର ପ୍ରଦେଶର ଏନ୍ ନରସିଂହ ନାୟକ ରୌପ୍ୟ ଓ ଦିଲ୍ଲୀର ଆୟୁଷ ଭରଦ୍ୱାଜ ବ୍ରୋଞ୍ଜ ପଦକ ହାତେଇଛନ୍ତି।