ବେଆଇନ ଭାବେ ଟ୍ରେନରେ ଭାରତକୁ ପ୍ରବେଶ କରୁଥିବାବେଳେ ୧୪ ବିଦେଶୀ ନାଗରିକ ଗିରଫ

ଗୁଆହାଟି,ଏଜେନ୍ସି: ବାଂଲାଦେଶରୁ ବେଆଇନ ଭାବେ ଭାରତରେ ପ୍ରବେଶ କରୁଥିବାବେଳେ ୧୪ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ଅଗ୍ରତାଳ-ନୂଆଦିଲ୍ଲୀ ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ବେଆଇନ ଭାବେ ପଶି ଭାରତକୁ ଆସୁଥିବାବେଳେ ତାଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ଗତ ୨୪ ତାରିଖ ବିଳମ୍ବିତ ରାତ୍ରିରେ ରେଳ ସୁରକ୍ଷା ବାହିନୀଙ୍କୁ ଏକ ଯାତ୍ରୀ ହେଲ୍ପ ଲାଇନରେ ଫୋନ କରି କେତେକ ବ୍ୟକ୍ତି ଟ୍ରେନରେ ଖରାପ ବ୍ୟବହାର କରୁଥିବା ସୂଚନା ଦେଇଥିଲେ। ପରେ ରେଲୱେ ପୁଲିସ ପରବର୍ତ୍ତୀ ରେଳ ଷ୍ଟେସନ କାଟିହର ଡିଭିଜନ ଅନ୍ତର୍ଗତ ଜଲପାଇଗୁରିରେ ଟ୍ରେନକୁ ଅଟକାଇ ସେମାନଙ୍କୁ ଅଟକ ରଖିଥିଲେ।

ତାଙ୍କୁ ତଦନ୍ତ କରାଯିବାରୁ ସେମାନେ ମିଥ୍ୟା ତଥ୍ୟ ଦେଇ ଟ୍ରେନରେ ଯାତ୍ରା କରୁଥିବା ଜଣାପଡ଼ିଥିଲା। ଏବାବଦରେ ସେମାନଙ୍କୁ ପଚରା ଉଚୁରା କରିବା ପରେ ସେମାନେ ବାଂଲାଦେଶରୁ ଆସିଛନ୍ତି ଓ ରୋହିଙ୍ଗା ସଂପ୍ରଦାୟର ବୋଲି ଜଣାପଡ଼ିଛି। ସେମାନଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନାମରେ ବିଦେଶୀ ସଂଶୋଧନ ଅଧିନିୟମରେ ମାମଲା ରୁଜୁ ହୋଇଥିଲା। ପରେ ସେମାନଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ଓ ନ୍ୟାୟିକ ହେପାଜତକୁ ପଠାଯାଇଥିବା ଜଣାପଡ଼ିଛି।