ଆଜି ୧୩୮ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରତି ପିଲା ଭିତରେ ରହିଛି ବିପୁଳ ପ୍ରତିଭା ଓ ସମ୍ଭାବନା। ଆଉ ସେହି ପ୍ରତିଭା ଓ ସମ୍ଭାବନାକୁ ସଫଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର। ବଦଳୁଛି ପିଲାଙ୍କ ଶିକ୍ଷାର ମନ୍ଦିର। ନୂଆ ରୂପରେ ନୂଆ ରଙ୍ଗରେ ଚମକୁଛି ସେମାନଙ୍କ ବିଦ୍ୟାପୀଠ। ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ୩୦ ଜିଲ୍ଲାରେ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଚାଲିଛି। ଆଜି ୪ ଜିଲ୍ଲାରେ ୧୩୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଲୋକାର୍ପିତ ହେବାକୁ ଥିବା ସ୍କୁଲଗୁଡିକ ହେଲା, ବୌଦ୍ଧ ଜିଲ୍ଲା ୧୦ ହାଇସ୍କୁଲ, ସୋନପୁରର ୧୧ ହାଇସ୍କୁଲ, ଭଦ୍ରକର ୧୭ ହାଇସ୍କୁଲ ଓ କେନ୍ଦୁଝରର ୧୦୦ ହାଇସ୍କୁଲ ରହିଛି। ଭିସି ଯୋଗେ ବିଦ୍ୟାଳୟ ଗୁଡିକ ଲୋକାର୍ପଣ ହେବାକୁ ଥିବା ବେଳେ ଜିଲ୍ଲା ସ୍ତରରେ ଏନେଇ ବିଶେଷ ଆୟୋଜନ କରାଯାଇଛି। ପ୍ରକାଶ ଥାଉ କି, ଗତ ନଭେମ୍ବର ୧୧ ତାରିଖରେ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ୱର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିସାରିଛନ୍ତି।