ଶତାବ୍ଦୀର ଶେଷ ସୁଦ୍ଧା ସମୁଦ୍ରରେ ବୁଡ଼ିଯିବ ପାରାଦ୍ୱୀପ ସମେତ ୧୨ ସହର

ୱାସିଂଟନ୍‌/ନୂଆଦିଲ୍ଲୀ,ଏଜେନ୍ସି: ଜାତିସଂଘର ଇଣ୍ଟର ଗଭର୍ଣ୍ଣମେଣ୍ଟାଲ୍‌ ପ୍ୟାନେଲ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ୍‌ (ଆଇପିସିସି) ରିପୋର୍ଟକୁ ଆଧାର କରି ଆମେରିକାର ଜାତୀୟ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ସାରା ବିଶ୍ୱକୁ ସତର୍କ କରାଇ ଦେଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାରା ବିଶ୍ୱ ସଙ୍କଟର ସାମ୍ନା କରିବ ଓ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି।

ନାସାର ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିବ। ଭାରତର ପାରାଦ୍ୱୀପ ସମେତ ୧୨ଟି ଉପକୂଳବର୍ତ୍ତୀ ସହର ଚଳିତ ଶତାଦ୍ଦୀର ଶେଷ ବେଳକୁ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ରହିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱ ତାପାମାନ ବୃଦ୍ଧି ଯୋଗୁ ବରଫ ଖଣ୍ଡଗୁଡ଼ିକ ତରଳି ସମୁଦ୍ରରେ ମିଶିବ ଏବଂ ଏହାଫଳରେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବ। ଫଳରେ ଭାରତର କାଣ୍ଡଲା, ଓଖା, ଭାବନଗର, ମୁମ୍ବାଇ, ମୋରମୁଗାଓ, ମାଙ୍ଗାଲୋର, କୋଚିନ୍‌, ପାରାଦ୍ୱୀପ, ଖିଦିରପୁର, ବିଶାଖାପାଟନମ୍‌, ଚେନ୍ନାଇ ଏବଂ ଟୁଟିକୋରିନ୍‌ ସହର ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ରହିଛି। ଏହି ସହରଗୁଡ଼ିକ ପ୍ରାୟ ୨.୭ ଫୁଟ ଜଳ ସ୍ତର ତଳେ ରହିବେ। ଏହାର ଅର୍ଥ ଏହି ସହରଗୁଡ଼ିକରେ ସମୁଦ୍ର ଜଳ ମାଡ଼ି ସ୍ଥଳ ଭାଗରୁ ୨.୭ ଫୁଟ ଉପରେ ପ୍ରବାହିତ ହେବ।