ମହାରାଷ୍ଟ୍ରରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲ୍ଲାସନଗର ଅଞ୍ଚଳରେ ଆଜି ଏକ ରେସିଡେନସିଆଲ ବିଲ୍ଡିଂ ଭୁଶୁଡି ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ଖବର ପାଇବା ପରେ ଟିଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ୧୧ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୫ ଜଣ ବର୍ତ୍ତମାନ ସୁଦ୍ଧା ଫସି ରହିଥିବା ଜଣାପଡ଼ିଛି।

ଏହି ବିଲ୍ଡିଂଟି ୪ ମହଲା ବିଶିଷ୍ଟ। ଆଜି ପୂର୍ବାହ୍ଣ ୧ଟା ୪୦ ମିନିଟରେ ଏହି ବିଲ୍ଡିଂଟି ଭୁଶୁଡି ପଡ଼ିଥିଲା। ପ୍ରଥମେ ଚତୁର୍ଥ ମହଲାର ଛାତ ଭୁଶୁଡ଼ିଥିଲା। ପରେ ଏହାର ଚାପରେ ଅନ୍ୟ ମହଲାର ଛାତ ଗୁଡ଼ିକ ମଧ୍ୟ ଭୁଶୁଡ଼ି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୧୧ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଛି। ସେହିପରି ଆଉ ୫ ଜଣ ଲୋକ ଏହି ଛାତ ତଳେ ଫସି ରହିଥିବା ବେଳେ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଟିଡିଆରଏଫ୍ ସୂଚନା ଦେଇଛି।