ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧୦୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୬୩କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ ୧୩ ଜଣ ସ୍ଥାନୀୟ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିôବା ୧୦୮ ଜଣଙ୍କ ମଧ୍ୟରୁ ମାଲକାନଗିରିରୁ ସର୍ବାଧିକ ୨୧, ପୁରୀରୁ ୧୫, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୯, ଗଞ୍ଜାମରୁ ୮, ଖୋର୍ଦ୍ଧା ଓ ଗଜପତିରୁ ୭ ଲେଖାଏଁ, କେଉଁଝରରୁ ୫, ବାଲେଶ୍ୱର ଜିଲ୍ଲାରୁ ୪ ଜଣ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୨, କଟକ, ବଲାଙ୍ଗିର, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏତଦବ୍ୟତୀତ ଅମ୍ଫାନ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଫେରିଥିବା ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ୧୬ ଜଣ କର୍ମଚାରୀ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୬୩କୁ ବୃଦ୍ଧି ପାଇଥିବାବେଳେ ୨,୮୫୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୧ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨୯୫ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।