ପୁଣି ବଢୁଛି କରୋନା ସଂକ୍ରମଣ: ‘ଜିନମ୍ ସିକ୍ୱେନ୍ସିଙ୍ଗ୍‌’ ଜାରି ରଖିବାକୁ ରାଜ୍ୟ ମାନଙ୍କୁ କେନ୍ଦ୍ର ସରକାରଙ୍କ ଚିଠି

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଏବେ ପୁଣି ଥରେ ଉପର ମୁହାଁ ହେବା ଆରମ୍ଭ ହୋଇଛି କରୋନା ସଂକ୍ରମଣ। କିଛି ରାଜ୍ୟରେ ଧିରେ ଧିରେ ସଂକ୍ରମଣ ବୃଦ୍ଧି ପାଉଛି ଯାହାକୁ ନେଇ ଚିନ୍ତା ବଢିଛି।

ବର୍ତ୍ତମାନ ସ୍ଥିତିରେ ଦେଶରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଆୟତରେ ରହିଥିବା ବେଳେ କିଛି ୟୁରୋପୀୟ ଦେଶ ଗୁଡିକରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି ଯାହାକୁ ନେଇ ଦେଶରେ ମଧ୍ୟ ସଂକ୍ରମଣ ବଢିବାର ସମ୍ଭାବନା ରହିଛି।

ତେବେ ଏଭଳି ସ୍ଥିତିରେ ସଂକ୍ରମଣ ଚେନ୍ ରୋକିବାକୁ ତଥା ଆଉ ଏକ ଲହରର ଆସିବା ପୂର୍ବରୁ ରାଜ୍ୟ ମାନଙ୍କୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର। ଗତ ଦୁଇ ଦିନ ହେବ ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ରରେ ବୈଠକ କରାଯାଉଥିବା ବେଳେ ରାଜ୍ୟ ମାନଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ୍ ଭୂଷଣ।

ଓମିକ୍ରନ୍ ଲହର ସମୟରେ ଯେଉଁଭଳି ରାଜ୍ୟମାନେ ଜିନମ୍ ସିକ୍ୱେନ୍ସିଙ୍ଗ୍ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ ବର୍ତ୍ତମାନ ମଧ୍ୟ ଜିନମ୍ ସିକ୍ୱେନ୍ସିଙ୍ଗ୍ ଜାରି ରଖିବା ପାଇଁ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ।

କେବଳ ଜିନମ୍ ସିକ୍ୱେନ୍ସିଙ୍ଗ୍ ନୁହେଁ ସର୍ଭିଲାନ୍ସ ଓ ନୂଆ ଲହରର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ୍ ଭୂଷଣ।