ବେଜିଂ: ସୋମବାର ଚୀନରେ ୧୦୮ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ସେହିଦିନ ଡାକ୍ତରଖାନାରେ ୨,୪୭୮ କରୋନା ପୀଡ଼ିତଙ୍କୁ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସକାଳ ସୁଦ୍ଧା ଡାକ୍ତରଖାନା ରେକର୍ଡରେ ଚୀନରେ ମୋଟ ୪୨,୬୩୮ କରୋନା ମାମଲା ଥିଲାବେଳେ ବିଶ୍ୱସ୍ତରରେ ତାହା ୪୩,୦୯୦ ହୋଇଛି। ଚୀନ୍ ସ୍ୱାସ୍ଥ୍ୟ ଅଧିକାରୀଙ୍କଠାରୁ ଆରମ୍ଭ କରି ୟୁହାନରେ କରୋନା ମାମଲା ସର୍ବେକ୍ଷଣ କରୁଥିବା ହଂକଂ ସାମ୍ବାଦିକ ଆଲେକ୍ସ ଲିନଙ୍କ ସୂଚନାନୁସାରେ କରୋନା ରୋଗୀଙ୍କ ମଧ୍ୟରୁ ଚୀନର ବସ୍ତିବାସିନ୍ଦା ସର୍ବାଧିକ ଅଛନ୍ତି। ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିବାରୁ ଗୋଟିଏ ଗୋଟିଏ ପରିବାରର ସବୁ ସଭ୍ୟ କରୋନାର ଶିକାର ହେଉଥିବା ଜଣାପଡ଼ିଛି।
ସୁପରମାର୍କେଟ୍, ସ୍କୁଲ, କାରଖାନା, କର୍ମସ୍ଥଳୀ ପ୍ରଭୃତି ସ୍ଥାନରେ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦିଆଯାଉ ନଥିବାରୁ କରୋନା ସଂକ୍ରମଣ ବୃଦ୍ଧି ପାଉଛି ବୋଲି ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ଚୀନ୍ ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ। ଅଧିକାଂଶ ରୋଗୀ ଶେଷ ମୁହୂର୍ତ୍ତରେ ଡାକ୍ତରଖାନାକୁ ଆସୁଥିବାରୁ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହେଉନାହିଁ। ତେଣୁ ଜନସ୍ୱାସ୍ଥ୍ୟ ତରଫରୁ ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ପରିବାରରେ କୌଣସି ବ୍ୟକ୍ତିଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇଲେ, ଘରଟିକୁ ସର୍ବଦା ସଫାସୁତରା ରଖିବାକୁ ପରାମର୍ଶ ଦିଆଯାଉଛି। ଖାଇବା ପୂର୍ବରୁ ହାତକୁ ସାବୁନ୍ ଅବା ହ୍ୟାଣ୍ଡୱାସରେ ଧୋଇବାକୁ କୁହାଯାଉଛି।
ଜନସମାଗମ ସ୍ଥାନକୁ ସର୍ବଦା ଉପେକ୍ଷା କରିବା ପାଇ ପରାମର୍ଶ ଦିଆଯାଉଛି। କାହା ସହିତ ବସି ଖିଆପିଆକୁ ବାରଣ କରାଯାଇଛି। ବସ୍, ଟ୍ରେନ୍ ଅବା ବିମାନରେ ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ ପ୍ରତି ଦୃଷ୍ଟି ଦିଆଯାଉଛି। କରୋନା ପୀଡ଼ିତଙ୍କ ସହ ବେଶି ମିଳାମିଶା ନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏହି ଭୂତାଣୁ କୌଣସି ପଶୁଠାରୁ ମଣିଷକୁ ସଂକ୍ରମଣ କରିଥିବା ବୈଜ୍ଞାନିକମାନେ କହିଛନ୍ତି। ତେଣୁ ମାଂସ ଓ ଅଣ୍ଡାକୁ ଭଲ ଭାବରେ ରାନ୍ଧିବାକୁ ସ୍ୱାସ୍ଥ୍ୟ ଅଧିକାରୀମାନେ ପରାମର୍ଶ ପ୍ରଦାନ କରୁଛନ୍ତି। କାଶ ଅବା ସର୍ଦ୍ଦି ସମୟରେ ନାକ ଓ ପାଟିକୁ ସର୍ବଦା ଘୋଡ଼ାଇ ରଖିବା ପାଇଁ ସଚେତନ କରାଯାଉଛି। କରୋନା ସଂକ୍ରମଣ କରିଥିବା ସମ୍ପର୍କରେ ଡାକ୍ତର ସନ୍ଦେହ ପ୍ରକାଶ କରିବା ମାତ୍ରେ ସର୍ଜିକାଲ୍ ମାସ୍କ ପିନ୍ଧିବା ପ୍ରତି ଗୁରୁତ୍ୱାରୋପ କରାଯାଇଛି।