ନିର୍ଦ୍ଦୟ ତାଲିବାନ: ୧୦୦ ନାଗରିକଙ୍କୁ କଲା ହତ୍ୟା, ସେମିତି ପଡିଛି ମୃତଦେହ

ନୂଆଦିଲ୍ଲୀ,ଏଜେନ୍ସି: ଆଫଗାନିସ୍ତାନରେ ତାଲିବାନର ଆତଙ୍କରାଜ। କାନ୍ଦାହାରର ସ୍ପିନ୍ ବୋଲଡେକ୍ ଜିଲ୍ଲାରେ ତାଲିବାନୀମାନେ ପ୍ରାୟ ୧୦୦ ଜଣ ନାଗରିକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଆଫଗାନ୍ ଗୃହ ମନ୍ତ୍ରାଳୟ ଏହି ହତ୍ୟାକାଣ୍ଡ ପାଇଁ ତାଲିବାନକୁ ଦାୟୀ କରିଛି। ଆତଙ୍କବାଦୀ ସଂଗଠନ ଆଫଗାନର ୯୦ ପ୍ରତିଶତ ସୀମାନ୍ତ ଅଞ୍ଚଳ ଉପରେ କବଜା କରି ନେଇଥିଲା। ଗତ ସପ୍ତାହରେ ସଙ୍ଗଠନ ସ୍ପିନ୍ ବୋଲଡର୍ ଜିଲ୍ଲାରେ ଆକ୍ରମଣ କରିଥିଲା। ଏଥିରେ ୧୦୦ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମୃତଦେହ ସେହିପରି ପଡିରହିଛି।

କେବଳ ହତ୍ୟାକାଣ୍ଡ ନୁହେଁ, ତାଲିବାନ ଅନେକ ନାଗରିକଙ୍କ ଘର ଲୁଟ୍ କରିବା ସହ ସେଠାରେ ନିଜ ପତାକା ଲଗାଇଛି। ଛୋଟ ଶିଶୁଙ୍କୁ ମଧ୍ୟ ହତ୍ୟା କରିଛି। କିନ୍ତୁ ଏବେସୁଦ୍ଧା ସଂଗଠନ ମୃତ୍ୟୁ ପାଇଁ ନିଜକୁ ଦାୟୀ କରିନାହିଁ। ଏପରିକି ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛି। ଆଫଗାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟର ପ୍ରବକ୍ତା ମୀରବାଇସ୍ ଷ୍ଟେନକଜଇ କହିଛନ୍ତି ଯେ, ପାକିସ୍ତାନର ଆଦେଶ ପରେ ତାଲିବାନ ସୀମାନ୍ତ ଅଞ୍ଚଳରେ ଆକ୍ରମଣ କରୁଛି। ନୀରିହଙ୍କୁ ହତ୍ୟା କରୁଛି। ସହରରେ ଭଙ୍ଗାରୁଜା କରାଯାଉଛି। ଏପରିକି ସରକାରୀ ଅଧିକାରୀଙ୍କ ଘରୁ ଲୁଟ୍ ପାଟ୍ ହେଉଛି। ଯାହା ତାଲିବାନର ଅସଲି ଚେହେରାକୁ ସାମ୍ନାକୁ ଆଣିଛି ବୋଲି ସେ କହିଛନ୍ତି।