ୱାନ ନେସନ୍ ୱାନ ରାସନ କାର୍ଡ: ଓଡ଼ିଶାରେ ୧.୧୦ ଲକ୍ଷ ପରିବାର ଉପକୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ୱାନ ନେସନ ୱାନ ରାସନ କାର୍ଡ’ ଯୋଗୁ ଓଡ଼ିଶାରେ ମୋଟ ୧.୧୦ଲକ୍ଷ ପରିବାର ଉପକୃତ ହୋଇଛନ୍ତି। ଏହି ଯୋଜନାରେ ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ସୁବିଧା ପ୍ରଦାନ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ବିଧାନସଭାରେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ୨୦୨୧ ଜୁଲାଇ ୨୯ତାରିଖ ଠାରୁ ଏହି ଯୋଜନା ଓଡ଼ିଶାରେ ଲାଗୁ ହୋଇଛି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ୧୦୫୭୮ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ୧.୧୦ ଲକ୍ଷ ପରିବାର ଉପକୃତ ହୋଇଛନ୍ତି। ସେହିପରି ୫୩୩ ଜଣ ଅନ୍ତଃରାଜ୍ୟ ହିତାଧିକାରୀମାନେ ଏହି ଯୋଜନାରେ ଉପକୃତ ହେଉଥିବାବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ସମସ୍ତ ହିତାଧିକାରୀଙ୍କୁ ୱାନ ନେସନ, ୱାନ କାର୍ଡ ଯୋଜନାର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ସୂଚନାଯୋଗ୍ୟ, ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଅନ୍ତର୍ଗତ ମୋଟ ୯୩,୧୩,୪୪୮ଟି ପରିବାରକୁ ରାସନକାର୍ଡ ମିଳିଛି ଓ ୩ କୋଟି ୩୩ ଲକ୍ଷ ୨୭ ହଜାର ୨୫୫ ଜଣ ଉପକୃତ ହେଉଛନ୍ତି। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଲକ୍ଷ ୬୧ ହଜାର ୨୨୭ଟି ପରିବାରର ୮ ଲକ୍ଷ ୮ ହଜାର ୮୦୦ଟି ଜଣ ଯୋଗ୍ୟ ହିତାଧିକାରୀ ସାମିଲ ଅଛନ୍ତି।