ଚିତ୍ରକୋଣ୍ଡାରେ ଆଦିବାସୀଙ୍କୁ ପୁଲିସର ମାଡ଼: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,ଏନ୍ଏନ୍‌ଏସ୍‌: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଏକ ଗାଁକୁ ଯାଇ ନିରୀହ ଆଦିବାସୀଙ୍କୁ ପୁଲିସ ଏସଡିପିଓ ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଏହି ସୂଚନା ଦେଇଛନ୍ତି। ବିନା ମହିଳା ପୁଲିସରେ ଉକ୍ତ ଏସଡିପିଓ ଶ୍ରୀ ଦ୍ୱିବେଦୀ ମହିଳା ଓ ନାବାଳିକାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା।

ଆଜି ଶୂନ୍ୟକାଳରେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ପୁଲିସର ଏଭଳି କାର୍ଯ୍ୟକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ। ଏପରିକି ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହି ଘଟଣାରେ ବିବୃତ୍ତି ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଶୂନ୍ୟକାଳରେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଥମେ ଏହି ଘଟଣା ଉଠାଇ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ।

ଆଜି ଦ୍ୱିତୀୟାର୍ଦ୍ଧରେ ଗୃହରେ ଅଚଳାବସ୍ଥା ଲାଗି ରହିବା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ଉକ୍ତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଘୋଷଣା କରିଛନ୍ତି। ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଆଇଜି କରିବେ ବୋଲି କହିଛନ୍ତି।

ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଏହି ଘଟଣାକୁ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ନିନ୍ଦା କରିବା ସହ ଯିଏ ଦୋଷୀ ତା’ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।