ରାଜ୍ୟରେ ଆରମ୍ଭ ହେବ ଶିଶୁଶ୍ରେଣୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ପ୍ରଥମଥର ଲାଗି ରାଜ୍ୟରେ ଶିଶୁଶ୍ରେଣୀ ପ୍ରଥା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ହଜାର ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବା ସହିତ ପିଲାମାନଙ୍କୁ ଏଥିରେ ସାମିଲ କରାଯିବ। ପୂର୍ବରୁ ଶିଶୁମାନେ ପ୍ରଥମେ ଅଙ୍ଗନବାଡ଼ି ଓ ପରେ ପ୍ରଥମଶ୍ରେଣୀରୁ ପାଠପଢ଼ା ଆରମ୍ଭ କରୁଥିଲେ। ମାତ୍ର ନୂଆ ବ୍ୟବସ୍ଥା ଅନୁଯାୟୀ ପିଲାମାନେ ଅଙ୍ଗନବାଡ଼ି ସାରିବା ପରେ ‘ଶିଶୁଶ୍ରେଣୀ’ରେ ଗୋଟିଏ ବର୍ଷ ଅଧ୍ୟୟନ କରିବେ। ଏହି ଗୋଟିଏ ବର୍ଷରେ ସେମାନଙ୍କ ବୌଦ୍ଧିକ ବିକାଶ ସହିତ ଖେଳକୁଦ ମାଧ୍ୟରେ ପାଠପଢ଼ା ପ୍ରତି ଆକୃଷ୍ଟ କରାଯିବ। ପ୍ଲେ-ସ୍କୁଲ ଢ଼ାଞ୍ଚାରେ ପାଠପଢ଼ା ହେବ। ସେଥିପାଇଁ ସରକାରୀ ସ୍କୁଲଗୁଡ଼ିକରେ ‘ଶିଶୁଶ୍ରେଣୀ’ ଲାଗି ଆବଶ୍ୟକ ସମସ୍ତ ବ୍ୟବସ୍ଥା କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ପ୍ଲେସ୍କୁଲରେ ପଢ଼ାଇବାକୁ ଆଶା କରିଥିଲେ ହେଁ ଅତ୍ୟାଧିକ ଫି’ ଲାଗି ବହୁ ଗରିବ ଅଭିଭାବକଙ୍କ ପିଲା ପ୍ଲେସ୍କୁଲରେ ପଢ଼ିବାରୁ ବଞ୍ôଚତ ହେଉଥିଲେ। ତେଣୁ ପିଲାଙ୍କୁ ପ୍ରାଥମିକ ଶିକ୍ଷା ପୂର୍ବରୁ ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ସହ ପ୍ଲେ-ସ୍କୁଲ ଢ଼ାଞ୍ଚାରେ ପଢ଼ାଇବାର ନୂତନ ଏବଂ ଅଭିନବ ପ୍ରୟାସକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି। ଅପରପକ୍ଷେ ଏହି ଯୋଜନା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୨ହଜାର ପ୍ରାଥମିକ ସ୍କୁଲରେ କାର୍ଯ୍ୟକାରୀ ହେବ। ତେବେ ଖୁଶୀଘ୍ର ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ଗାଇଡ ଲାଇନ୍ ପ୍ରସ୍ତୁତ କରାଯିବ।

ରାଜ୍ୟରେ ମୋଟ ୬୫ହଜାର ୨୭୯ଟି ପ୍ରାଥମିକ ସ୍କୁଲ ରହିଛି। ସେଥିରୁ ୫୦ହଜାର ୫୨୬ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଅନ୍ତର୍ଭୁକ୍ତ। ଏହି ସ୍କୁଲଗୁଡିକରେ ଆରମ୍ଭ ହେବାକୁ ଯାଉଛି ଶିଶୁଶ୍ରେଣୀ। ତେବେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୨ହଜାର ସ୍କୁଲରେ ଏହା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି। ତେବେ ସେଥିରୁ ଖୋର୍ଦ୍ଧାର ୧୩୧୬ଟି ସ୍କୁଲ ସମେତ କଟକର ୧୯୬୭, ଅନୁଗୁଳର ୧୪୪୩, ବାଲେଶ୍ୱରରେ ୨୨୯୪, ଭଦ୍ରକର ୧୬୦୦, ଗଞ୍ଜାମର ୩୧୩୬, ଜଗତସିଂପୁରର ୧୨୨୧, ଯାଜପୁରର ୧୮୭୮, ମୟୁରଭଞ୍ଜର ୩୯୨୧, ପୁରୀର ୧୭୯୨, କନ୍ଧମାଳର ୧୭୭୮, ଢ଼େଙ୍କାନାଳର ୧୩୬୧, ସମ୍ବଲପୁରର ୧୨୭୫, ଝାରସୁଗୁଡ଼ାର ୬୦୯, ନୂଆପଡ଼ାର ୯୫୮ଟି ସ୍କୁଲକୁ ତାଲିକାଭୁକ୍ତ କରାଯାଇଥିବା ବେଳେ ଯେଉଁ ସ୍କୁଲ ପରିସରରେ ଅଙ୍ଗନବାଡ଼ି ସୁବିଧା ଥିବ ସମ୍ପୃକ୍ତ ସ୍କୁଲରେ ଏହି ଶିଶୁଶ୍ରେଣୀ ଖୋଲାଯିବ ନାହିଁ।
ପ୍ରତ୍ୟେକ ଶିଶୁଶ୍ରେଣୀ ଲାଗି ପ୍ରାୟ ୫୦ହଜାର ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ଯେଉଁ ସ୍କୁଲରେ ଭିତ୍ତିଭୂମିର ଅଭାବ ରହିଛି ସେହି ସ୍କୁଲରେ ଏହି ଯୋଜାନା କାର୍ଯ୍ୟକାରୀ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି। ତେବେ ପ୍ରଥମ ପର୍ଯ୍ୟାୟରେ ୨ହଜାର ସ୍କୁଲ ଲାଗି ପ୍ରାୟ ୧୦କୋଟି ଟଙ୍କାର ବ୍ୟୟବରାଦ ଯୋଜନା ରହିଛି। ଏହି ଶିଶୁଶ୍ରେଣୀ ଲାଗି ୨ଜଣ ଶିକ୍ଷକ, ଜଣେ କାଉନସେଲର ନିୟୋଜିତ ହେବେ। ଏହି କର୍ମଚାରୀମାନେ ଅସ୍ଥାୟୀଭାବେ ନିଯୁକ୍ତି ପାଇବେ କି ଆଉଟ୍ସୋର୍ସିଂ ମାଧ୍ୟମରେ ନିଯୁକ୍ତ ହେବେ ତାହା ସ୍ପଷ୍ଟ ହୋଇନାହିଁ। ଏହି ଶିଶୁଶ୍ରେଣୀରେ ନାମଲେଖା ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ। ସାଢ଼େ ୪ବର୍ଷ ବୟସରୁ ପିଲାଙ୍କୁ ନାମଲେଖାଇବାର ସୁଯୋଗ ମିଳିବ।