୮୫୬୭ ଡାକଘରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଲା ବିଜେପି

ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ଚିଠି ଲେଖିଛି। ମହିଳା ସୁରକ୍ଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଚିଠି ଅଭିଯାନ। ଆପଣଙ୍କ ଶାସନରେ ମହିଳା ବିପଦରେ ପ୍ରସଙ୍ଗ ନେଇ ବିଜେପି ୮ ହଜାର ୫୬୭ ଡାକଘରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଛି। ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଭୁବନେଶ୍ୱର ରେଳ ଡାକ ସେବା କାର୍ଯ୍ୟାଳୟରେ ଚିଠି ପକାଇଲେ ବିଜେପି ନେତା।

ମହିଳା ସୁରକ୍ଷା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୋମୁହାଁ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିବା ପାଇଁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଚିଠି ପଠାଯାଇଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖଶ୍ରୀ ସାମନ୍ତସିଂହାର, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ରହି ଚିଠି ପୋଷ୍ଟ କରିଛନ୍ତି।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ନିଦ ଭାଙ୍ଗୁନି। କେବଳ ମମିତା ହତ୍ୟାକାଣ୍ଡ ନୁହେଁ, ଅତୀତରେ ପରୀ, ମାଧବୀଲତା, ବେବିନା, ଇତିଶ୍ରୀ ଭଳି ଅନେକ ସମ୍ବେଦନଶୀଳ ଘଟଣାରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ସତ୍ତ୍ବେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ତେଣୁ ପୀଡ଼ିତାମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆସନ୍ତା ୨୬ ଓ ୨୭ତାରିଖରେ ରାଜ୍ୟର ୮୯୦୦ ପୋଷ୍ଟ ବାକ୍ସରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଜବାବ ମାଗିବେ ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ।