ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନ୍ୟ ଜିଲ୍ଲାରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୦ରୁ ଊର୍ଧ୍ବ ଜିଲ୍ଲାକୁ କୁହୁଡ଼ି ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି,ମୟୁରଭଞ୍ଜ ଓ କୋରାପୁଟ ରହିଛି। ଏଥିସହିତ ଅଭ୍ୟାନ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଏତଦ ବ୍ୟତୀତ ଡିସେମ୍ବର ୨୭ରୁ ୨୮ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଆଦି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ଏଥିସହିତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କୁହୁଡି ପଡ଼ିବାର ସମ୍ଭାବନା ରହିଛି। ଏଯାବତ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୨୯.୮ ଡିଗ୍ରି ସେଲସିୟସ ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୧.୦ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି।