ଭୁବନେଶ୍ୱର,ଏନ୍ଏନ୍ଏସ୍: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ବଡ଼ ସୂଚନା ପ୍ରଦାନ କରିଛି । ମାନସ ହତ୍ୟା ନେଇ ଅଭିଯୁକ୍ତ ରଞ୍ଜନ ସବୁ ସତ ମାନିଛି ବୋଲି କ୍ରାଇମବ୍ରାଞ୍ଚ କହିଛି । ଶର୍ମିଷ୍ଠା ଓ ଅନ୍ୟମାନେ ମିଶି ପଳାସପୁରରୁ ମାନସକୁ ଅପହରଣ କରି ଦୟାଲ ଆଶ୍ରମକୁ ଆଣିଥିଲେ । ଆଶ୍ରମରେ ନିରଞ୍ଜନ ସେଠୀ ଓ ଅନ୍ୟମାନେ ମାନସକୁ ପିଟିଥିଲେ । ପିଟି ପିଟି ହତ୍ୟା ପରେ ଶର୍ମିଷ୍ଠାଙ୍କ କାରରେ ଶବ ନୟାଗଡ଼ର ରଣପୁରକୁ ନେଇଥିଲେ । ରଣପୁରରେ ଶବ ପୋତିବା ପରେ ସେଠାରୁ ଫେରିଥିଲେ । ଫେରିବା ସମୟରେ ଚଣ୍ଡିଖୋଲ ନିକଟରେ ମାନସର ଜିନିଷ ପତ୍ର ପୋଡ଼ିଥିଲେ । ଗାତ ଖୋଳିଥିବା ଗଇଁତି ଓ କୋଦାଳକୁ ସେଠାରେ ବୁଦାମୂଳେ ପିଙ୍ଗିଥିଲେ । ରଞ୍ଜନଠାରୁ ସବୁ ତଥ୍ୟ ହାସଲ କରିବା ପରେ ତାକୁ ସାଥୀରେ ନେଇ ଆଜି କ୍ରାଇମବ୍ରାଞ୍ଚ ଘଟଣାସ୍ଥଳକୁ ଯାଇଥିଲା । ସେଠାରେ ମାନସଙ୍କ ଦରପୋଡ଼ା ଇୟରଫୋନ୍ ଓ ଚପଲ ମିଳିଥିବା କ୍ରାଇମବ୍ରାଞ୍ଚ ସୂଚନା ପ୍ରଦାନ କରିଛି ।