ଭୁୁବନେଶ୍ୱର,ଏନ୍ଏନ୍ଏସ୍: ଗତ ଏକ ସପ୍ତାହରୁ ଅଧିକ ଦିନ ହେଲା ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ତାତିରେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ରାଜ୍ୟବାସୀ । ତେବେ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁ କ୍ରମାଗତ ଭାବେ ପ୍ରବେଶ କରିବାକୁ ଆରମ୍ଭ କରିଛି । ଫଳରେ କାଳବୈଶାଖୀ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରୁଛି ।
ଆଜିଠାରୁ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀ ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, କୋରାପୁଟ, ରାୟଗଡା ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ କାଳବୈଶାଖୀ ସମ୍ଭାବନା ରହିଛି । ଗୋଟିଏ ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିପାରେ ।