ରାଜ୍ୟରେ ଆଜି ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉତ୍ତରପୂର୍ବ ମଧ୍ୟପ୍ରଦେଶରୁ ଉତ୍ତରମଧ୍ୟ ମହାରାଷ୍ଟ୍ର ଯାଏ ଏକ ଟ୍ରପଲାଇନ୍ ପଡ଼ିଛି। ଏହାର ପ୍ରଭାବରେ ରବିବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡିଶାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୧୮ ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୧୬, ବାରିପଦାରେ ୨୨.୪, କଟକରେ ୧୮.୧, ଟିଟିଲାଗଡ଼ରେ ୧୪ ଓ ଛତ୍ରପୁରରେ ୧୦ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ବର୍ଷା ସାଙ୍ଗକୁ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜାରି ରହିଛି।

ସୋମବାର ଦିନ ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମଙ୍ଗଳବାରଠାରୁ ବର୍ଷାର ପରିମାଣ କମିବା ସହିତ ୨ ତାରିଖ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ଲାଗି ରହିବ। ମାତ୍ର ଏହି ସମୟରେ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଲୋକମାନଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପରାମର୍ଶ ଦେଇଛନ୍ତି। ଏଥିସହ ରାଜ୍ୟରେ ୩ ତାରିଖଠାରୁ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।