ରାଜ୍ୟରେ ବଢିବ କାଳବୈଶାଖୀ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଟ୍ରପଲାଇନ୍ ପ୍ରଭାବରେ କାଳବୈଶାଖୀ ବର୍ଷା ଜାରି ରହିଛି। ଆସନ୍ତା ୧୧ ତାରିଖରୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ପ୍ରଭାବରେ ଆସନ୍ତା ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏବେ ରାଜ୍ୟରେ ପ୍ରାକ୍ ମୌସୁମୀ ସକ୍ରିୟ ଥିବା ବେଳେ ଆସନ୍ତା ୧୧ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ଆକଳନ କରାଯାଇଛି। ବିଶେଷତଃ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା ଜିଲ୍ଲାରେ ବର୍ଷା ଆଶଙ୍କା କରାଯାଇଛି। ସେହିପରି ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରେ ମଧ୍ୟ ଘଡଘଡି ବିଜୁଳି ସହିତ ବର୍ଷା ପବନ ହେବାର ପୂର୍ବାନୁମାନ କରିଛି।