‘ବିଶ୍ୱ ସ୍ଥାୟୀ ଊର୍ଜା ଏଜେଣ୍ଡାର ନେତୃତ୍ୱ ଜାରୀ ରଖିବ ଭାରତ’

ନୂଆଦିଲ୍ଲୀ,ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶ୍ୱ ସ୍ଥାୟୀ ଊର୍ଜା ଏଜେଣ୍ଡାର ନେତୃତ୍ୱ ନେବାରେ ଭାରତ ଆଗାମୀ ଦିନମାନଙ୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଜାରୀ ରଖିବ ବୋଲି ବୁଧବାର ନୂଆଦିଲ୍ଲୀଠାରେ ଟେରି ପକ୍ଷରୁ ଆୟୋଜିତ ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀ ୨୦୨୦ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ସମ୍ମିଳନୀରେ “ଭବିଷ୍ୟତ ଊର୍ଜାର ରୋଡମ୍ୟାପ୍” ପ୍ରସଙ୍ଗ ଉପରେ ଅଭିଭାଷର ପ୍ରଦାନ କରି ଶ୍ରୀ ପ୍ରଧାନ କହିଲେ ଯେ ଭାରତ ଊର୍ଜା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ମଧ୍ୟରେ ଗତିଶୀଳ ହେଉଛି। ବିଶ୍ୱର ଅନ୍ୟ ସ୍ଥାନ ତୁଳନାରେ ଊର୍ଜା ଦାରିଦ୍ର୍ୟକୁ ଶେଷ କରିବା ପାଇଁ ଭାରତ ସରକାର କାର୍ଯ୍ୟ କରିବା ସହ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ୨୦୩୫ ସୁଦ୍ଧା ଊର୍ଜାର ବ୍ୟବହାର ବାର୍ଷିକ ୪.୨ ପ୍ରତିଶତ ବୃଦ୍ଧି ପାଇବାର ଆକଳନ କରାଯାଇଛି। ବିଶ୍ୱର ମୋଟ ପ୍ରାଥମିକ ଊର୍ଜାର ଚାହିଦାରେ ଭାରତର ଭାଗ ୨୦୪୦ ସୁଦ୍ଧା ଦ୍ୱିଗୁଣିତ ହୋଇ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଦେଶରେ ଅଧିକ ଊର୍ଜାର ଉପଲବ୍ଧି ପାଇଁ ଉଦ୍ୟମ ଜାରୀ ରହିଛି। ଭାରତ ସରକାର ଊର୍ଜା ଦକ୍ଷତା, ଉତ୍ପାଦକ, ଚାହିଦା, ରିଫାଇନାରୀ ପ୍ରକ୍ରିୟାରେ ସୁଧାର ଏବଂ ଜୈବ ଓ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହନ ଦେଉଛନ୍ତି।

ସେ କହିଛନ୍ତି ଯେ ଆମେରିକା ଏବଂ ଚାଇନା ପରେ ଭାରତ ତୃତୀୟ ସର୍ବବୃହତ ଊର୍ଜା ବ୍ୟବହାରକାରୀ ଦେଶ। ୨୦୧୭ରେ ଭାରତର ଊର୍ଜା ଚାହିଦା ବୃଦ୍ଧି ପାଇ ୮୮୨ ମିଲିୟନ ଟନ୍ ତୈଳ ସହ ସମତୁଲ୍ୟ ହୋଇଛି। ଏହା ସତ୍ତେ୍ୱ୍ୱ ଦେଶରେ ମୁଣ୍ଡ ପିଛା ଊର୍ଜାର ବ୍ୟବହାର ବିଶ୍ୱ ହାରାହାରିର ୩୦ ପ୍ରତିଶତ ରହିଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଊର୍ଜା ଆବଶ୍ୟକତା ପୂରଣ ଓ ବିକାଶରେ ଅଶୋଧିତ ତୈଳର ମହତ୍ୱପୂର୍ଣ୍ଣ ଭୂମିକା ରହିବ। ତେବେ ୨୦୨୨ ସୁଦ୍ଧା ଅଶୋଧିତ ତୈଳର ଆମଦାନୀ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ଭାରତ ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ନୂଆ ଋଣନୀତି ଏବଂ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି।

ଆଗାମୀ ଦିନରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ଦିଗରେ ସରକାର କାର୍ଯ୍ୟରତ ରହିଛନ୍ତି। ବିଶେଷଭାବରେ ଅକ୍ଷୟ ଊର୍ଜାକୁ ଗ୍ରହଣ କରାଯାଇ ଏବଂ ବିଭିନ୍ନ ଊର୍ଜା କ୍ଷେତ୍ରରୁ ଜୈବ ଇନ୍ଧନ ଉତ୍ପାଦନ କରାଯାଇ ଗ୍ୟାସ ଆଧାରିତ ଅର୍ଥନୀତି ଲକ୍ଷ୍ୟ ହାସଲ ନିମନ୍ତେ ଉଦ୍ୟମ କରାଯାଉଛି। ଅପରପକ୍ଷରେ ପରିବହନ କ୍ଷେତ୍ରର ବିକାଶ ପାଇଁ ବ୍ରାଜିଲ ଏବଂ ଆମେରିକା ସହ ସହଯୋଗକୁ ବଢାଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ଇସ୍ପାତ କ୍ଷେତ୍ରରେ କାର୍ବନର ମାତ୍ରାକୁ ହ୍ରାସ କରିବା ସଂକ୍ରାନ୍ତ ଏକ ରିପୋର୍ଟକୁ ଉନ୍ମୋଚନ କରିଥିଲେ।