ଅବୈଧ ବିବାହରେ ମହିଳା ପାଇବେ ଆଇନଗତ ଭରଣପୋଷଣ

କଟକ,ଏନ୍ଏନ୍ଏସ୍: ଅବୈଧ ବିବାହରେ ମଧ୍ୟ ଜଣେ ମହିଳା ଆଇନଗତ ଭରଣପୋଷଣ ପାଇବାକୁ ହକଦାର ବୋଲି ହାଇକୋର୍ଟ ଏକ ବୈବାହିକ ମାମଲାର ଶୁଣାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ରାଉରକେଲା ପାରିବାରିକ ଅଦାଲତଙ୍କ ଆଦେଶ ବିରୋଧରେ ରୁଜୁ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଏସ୍କେ ମିଶ୍ର ଓ ବିଚାରପତି ଡ. ଏକେ ମିଶ୍ର ଏହିି ରାୟ ପ୍ରଦାନ କରିଛନ୍ତି।

ସୂଚନାରୁ ପ୍ରକାଶ, ଆବେଦନକାରିଣୀ ଗତ ୨୦୧୧ ମାର୍ଚ୍ଚ ୨୬ ତାରିଖରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ତେବେ ଚତୁର୍ଥୀ ରାତିରେ ଉକ୍ତ ମହିଳାଙ୍କ ପେଟରେ ପୋଡ଼ାଦାଗ ଥିବା ଦେଖି ସ୍ୱାମୀ ତାଙ୍କୁ ଗ୍ରହଣ କରିନଥିଲେ। ଫଳରେ ମହିଳା ଜଣକ ବିବାହର ମାତ୍ର ଦୁଇଦିନ ପରେ ଅର୍ଥାତ୍ ୨୦୧୧ ମସିହା ମାର୍ଚ୍ଚ ୨୮ତାରିଖରେ ବାପଘରକୁ ଚାଲି ଆସିଥିଲେ। ଏହା ପରେ ମହିଳାଙ୍କ ସ୍ୱାମୀ ଉକ୍ତ ବିବାହକୁ ଅସିଦ୍ଧ ଘୋଷଣା କରିବାକୁ ହିନ୍ଦୁ ଆଇନର ୧୨(୧) ସି’ ଧାରାରେ ଆବେଦନ କରିଥିଲେ। ମିଥ୍ୟାର ଆଶ୍ରୟ ନେଇଥିବାରୁ ଏହି ବିବାହକୁ ଅବୈଧ ଘୋଷଣା କରିବାକୁ ସେ ପ୍ରାର୍ଥନା କରିଥିଲେ। ପରେ ସମ୍ପୃକ୍ତ ମହିଳା ସେ ଓ ତାଙ୍କ ସ୍ୱାମୀ ବୈବାହିକ ଜୀବନକୁ ଫେରି ଆସିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ।

ଅଦାଲତ ଗତ ୨୦୧୬ ଜାନୁୟାରୀ ୨୮ ତାରିଖରେ ମାମଲାର ଶୁଣାଣି କରି ମହିଳାଙ୍କ ଆବେଦନକୁ ଖାରଜ କରିଥିଲେ। ଏଥିସହିତ ତାଙ୍କ ସ୍ୱାମୀ ଉକ୍ତ ବିବାହକୁ ଅସିଦ୍ଧ ଘୋଷଣା କରିବାକୁ ଆବେଦନ କରିଥିଲାବେଳେ ଅଦାଲତ ଏହାକୁ ଅନୁମତି ପ୍ରଦାନ କରିବା ସହ ଉକ୍ତ ବିବାହକୁ ଅସିଦ୍ଧ ଘୋଷଣା କରିଥିଲେ। ପରେ ସମ୍ପୃକ୍ତ ମହିଳା ନିଜର ପ୍ରତିପୋଷଣ ପାଇଁ ଅକ୍ଷମ ଥିବା ଦର୍ଶାଇ ହିନ୍ଦୁ ବିବାହ ଆଇନର ୨୪ ଧାରା ଆଧାରରେ ମାସିକ ୧୦ହଜାର ଟଙ୍କା ଲେଖାଏଁ ଭରଣପୋଷଣ ପାଇବାକୁ ଆବେଦନ କରିଥିଲେ। ଏହି ଆବେଦନ ଆଧାରରେ ତାଙ୍କୁ ୨ହଜାର ଟଙ୍କା ଲେଖାଏଁ ଭରଣପୋଷଣ ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଥିଲେ।

ତେବେ ମହିଳାଙ୍କ ସ୍ୱାମୀ ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ। ସେ ଦର୍ଶାଇଥିଲେ ଯେ ଯେତେବେଳେ ବିବାହ ଅସିଦ୍ଧ, ସେପରି କ୍ଷେତ୍ରରେ ସେ କାହିିଁକି ଭରଣପୋଷଣ ପ୍ରଦାନ କରିବେ। ଏନେଇ ହାଇକୋର୍ଟରେ ଉଭୟ ପକ୍ଷ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତଙ୍କ ସବିତାବେନ୍ ବନାମ ଗୁଜୁରାଟ ଏବଂ ଚାନ୍ଦ ଧୱାନ୍ ବନାମ ଜୱାହରଲାଲ୍ ଧୱାନ୍ ମାମଲା ଆଧାରରେ ଆବେଦନକାରିଣୀଙ୍କୁ ମାସିକ ୩ ହଜାର ଟଙ୍କା ଭରଣପୋଷଣ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। ୨୦୧୬ ସେପ୍ଟେମ୍ବର ୧୨ତାରିଖ ଅର୍ଥାତ୍ ମହିଳାଙ୍କ ଆବେଦନ ତାରିଖଠାରୁ ଏହି ରାଶି ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ଅବୈଧ ବିବାହରେ ମଧ୍ୟ ମହିଳା ଆଇନଗତ ଭରଣପୋଷଣ ପାଇବାକୁ ହକ୍ଦାର ବୋଲି ମାନ୍ୟବର ହାଇକୋର୍ଟ କହିିଛନ୍ତି। ଏହି ମାମଲାରେ ସ୍ୱାମୀଙ୍କ ପକ୍ଷରୁ ଆଇନଜୀବୀ ଜି. ମୁଖାର୍ଜୀ ଓ ମହିଳାଙ୍କ ପକ୍ଷରୁ ଆଇନଜୀବୀ ପବିତ୍ର କୁମାର ନାୟକ ମୋକଦ୍ଦମା ପରିଚାଳନା କରୁଥିଲେ।