ମଡେଲ ଡିଗ୍ରୀ କଲେଜରୁ ହଟିନି କୋଭିଡ କେୟାର ସେଣ୍ଟର, ଆରମ୍ଭ ହେଲାଣି ଯୁକ୍ତ ୩ ନାମ ଲେଖା

ରାୟଗଡ଼ା,ଏନ୍ଏନ୍ଏସ୍: ଏଠି ସରକାରୀ ନିୟମ ପାଣିର ଗାର। ସରକାରଙ୍କ ଗାଇଡଲାଇନ ଅନୁସାରେ ଯେଉଁ କଲେଜ ମାନଙ୍କରେ ଜିଲ୍ଲା ପ୍ରଶାସନ କୋଭିଡ କେୟାର ସେଣ୍ଟର ଖୋଲିଛନ୍ତି ସେଠାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ଏବଂ କୌଣସି ପ୍ରକାର ଛାତ୍ରଛାତ୍ରୀଙ୍କୁ ନେଇ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଅପରପକ୍ଷରେ ଦେଶରେ କରୋନା ଭୂତାଣୁ ଯୋଗୁଁ ଚଳିତ ଶିକ୍ଷା ବର୍ଷ ବିଳମ୍ବରେ ଆରମ୍ଭ ହୋଇଛି। ଏନେଇ ପିଲାଙ୍କ ନାମ ଲେଖା ସାଙ୍ଗକୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଦେବା ଜରୁରୀ ଥିବାରୁ ଉଚ୍ଚ ଶିକ୍ଷା ବିଭାଗ ରାୟଗଡ଼ା ଜିଲ୍ଲାପାଳଙ୍କୁ ମଡେଲ ଡିଗ୍ରୀ କଲେଜରୁ କୋଭିଡ କେୟାର ସେଣ୍ଟର ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ କଲେଜର ପ୍ରିନ୍ସିପାଲଙ୍କୁ କୁହାଯାଇଥିଲା। କିନ୍ତୁ ଉକ୍ତ କଲେଜରୁ କୋଭିଡ କେୟାର ସେଣ୍ଟର ସ୍ଥାନାନ୍ତର ହୋଇନଥିବା ଜିଲ୍ଲାପାଳଙ୍କ ପତ୍ର କଲେଜ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଚିନ୍ତା ବଢ଼ାଇ ଦେଇଛି।

ସୂଚନା ଯୋଗ୍ୟ ଯେ ମଡେଲ ଡିଗ୍ରୀ କଲେଜ ଠାରୁ ମାତ୍ର ୩ କିଲୋମିଟର ଦୂରରେ କୋଭିଡ ହସ୍ପିଟାଲ ଖୋଲାଯାଇ କରୋନା ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଏଥିପାଇଁ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ଏଠାରେ ରହି ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି। ଏପରିକି ଅନେକ ଆଗଧାଡ଼ିର ଯୋଦ୍ଧା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଭଳି ସ୍ଥଳେ ପିଲାଙ୍କ ନାମଲେଖା ଠାରୁ ଆରମ୍ଭ କରି ପାଠପଢ଼ା ବିପଦକୁ ଯେ ଟାଣି ଆଣିବ ଏକଥାକୁ ଅସ୍ୱୀକାର କରିହେବନାହିଁ।

ଏନେଇ ଆମେ ମଡେଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ. ବିଏନ ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗତମାସ ପ୍ରଥମ ସପ୍ତାହରୁ ମଡେଲ ଡିଗ୍ରୀ କଲେଜକୁ ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଥିଲା। ଜିଲ୍ଲାପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ବାରମ୍ବାର ଆଲୋଚନା ହୋଇଥିଲେ ହେଁ ଏ ଯାଏଁ କଲେଜକୁ ହସ୍ତାନ୍ତର କରାଯାଇନାହିଁ। ଫଳରେ ଆମେ ବାଧ୍ୟ ହୋଇ ବାହାରେ ପିଲାଙ୍କ ନାମଲେଖା ଜାରି ରଖିଛୁ ବୋଲି କହିଛନ୍ତି।

ଅନ୍ୟପଟେ ଜିଲ୍ଲାପାଳଙ୍କ କହିବା ଅନୁସାରେ ସମ୍ପୃକ୍ତ କୋଭିଡ କେୟାର ସେଣ୍ଟରର ଏସି ଏବଂ ଅନ୍ୟାନ୍ୟ ସାମଗ୍ରୀ ସ୍ଥାନାନ୍ତର କରିବାକୁ ଆଉ ୨-୪ ଦିନ ସମୟ ଲାଗିବ। ଏ ସବୁ ସ୍ଥାନାନ୍ତର ହୋଇଗଲେ କଲେଜଟିକୁ ସନିଟାଇଜ କରାଯାଇ ହସ୍ତାନ୍ତର କରାଯିବ।