୩୦ରୁ ବଢ଼ିବ ଶୀତ, ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଥଣ୍ଡାର ଲହରୀ ଜାରି ରହିବା ସହ ସମୟାନୁକ୍ରମେ କ୍ରମଶଃ ବୃଦ୍ଧିପାଇବ। ରାତିର ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ନ ଥିବାବେଳେ ଆସନ୍ତା ୩୦ରୁ ସମସ୍ତ ଜିଲ୍ଲାରେ ତାପମାତ୍ରା  ୩ରୁ ୫ ଡିଗ୍ରୀ କମ୍ ହେବ। ଫଳରେ ଜାଡ଼ ଆହୁରି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ରବିବାର ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପାମାତ୍ରା କିଛିମାତ୍ରାରେ କମିଛି। ସୋମବାର ରାତିରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ଆଉ କିଛି କମିବା ଯୋଗୁ ଶୀତ ବଢ଼ିବ। ମଙ୍ଗଳବାରଠାରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ। ଏଣୁ ନୂଆ ବର୍ଷବେଳକୁ ହାଡ଼ଭଙ୍ଗା ଶୀତ ହେବ। କିନ୍ତୁ ତା ପରେ ଶୀତର ପରିମାଣ ସମାନ୍ୟ ହ୍ରାସ ପାଇବ। ସୋମବାରଠାରୁ ଗୁରୁଚାପ ବଳୟ କେନ୍ଦ୍ର ପୂର୍ବ ଭାରତକୁ ଗତି କରୁଛି। ମଙ୍ଗଳବାରଠାରୁ ଏହା ଉତ୍ତର ଛତିିଶଗଡ଼ ଓ ଦକ୍ଷିଣ ଝଶଡ଼ଖଣ୍ଡ ଉପରେ ଅବସ୍ଥାପିତ ହେବ। ଫଳରେ ଜାନୁଆରୀ ୨ରୁ ୩ ତାରିଖରେ ତାପାମାତ୍ରା ପାଖାପାଖି ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ତା ସହ ଜାନୁଆରୀ ୨ରୁ କୁହୁଡ଼ିର ମାତ୍ରା ମଧ୍ୟ ଅଧିକ ରହିବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
ଏନେଇ ପାଣିପାଗ ବିଭାଗଠାରୁ ମିଳିଥିବା ତଥ୍ୟ ମୂତାବକ, ମଙ୍ଗଳବାର ଓ ବୁଧବାର ୨ ଦିନ ଯାଏ ପାଗ ଶୁଖିଲା ରହିବ। ପାଗରେ କିଛି ବିଶେଷ ପରିବର୍ତ୍ତନ ନ ଥିବାବେଳେ ୯ ଜିଲ୍ଲାରେ କୁହୁଡ଼ିର ଘନ ଆବରଣ ଦେଖିବାକୁ ମିଳିବ। ବିଶେଷ କରି କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ୍, ମାଲକାନାଗିରି ଓ କଳାହାଣ୍ଡିରେ କୁହୁଡ଼ି ନଜରକୁ ଆସିବ। ସେହିପରି ଆସନ୍ତା ୩୦ରୁ ସାରା ରାଜ୍ୟରେ ସାମାନ୍ୟ ପରିମାଣରେ ଶୀତ ବଢ଼ିବ। ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷେ ଆସନ୍ତା ଦିନରେ ଭୁବନେଶ୍ୱରରେ କୁହୁଡ଼ି ପରିମାଣ ହ୍ରାସ ପାଇବା ସହ ସର୍ବନିମ୍ନ ୧୩ ଡିଗ୍ରୀ ଓ ସର୍ବୋଚ୍ଚ ତାପମାତ୍ରା ୨୮ ଡିଗ୍ରୀ ରହିବା ସମ୍ଭାବନାଥିବା ବିଭାଗ ପକ୍ଷରୁ ଉଲ୍ଲେଖ କରାଯାଇଛି।