୨୦ ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅମ୍ଫାନ୍, ଓଡ଼ିଶାରେ ୧୮ରୁ ବର୍ଷା ୧୯ରୁ ବଢିବ ପବନର ବେଗ: ଏସ୍ଆରସି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାମୁଦ୍ରିକ ଝଡ଼ ରୂପ ନେଇଥିବା ବାତ୍ୟା ଅମ୍ଫାନ୍ ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୮୦ କିଲୋମିଟର ଦୂରରେ ରହିଛି। ଏହାର ପ୍ରଭାବ ଓଡ଼ିଶାରେ ଆଂଶିକ ଅନୁଭୂତ ହେବ। ଆସନ୍ତାକାଲି ଠାରୁ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବ ଓ ୧୯ରୁ ପବନର ବେଗ ବଢିବ ବୋଲି ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ବାତ୍ୟାର ରୂପ ନେଇଥିବା ଅମ୍ପାନ ଧୀରେ ଧୀରେ ଘନୀଭୂତ ହୋଇ ଧୀର ବେଗରେ ଗତି କରୁଛି। ବାତ୍ୟା ଅମ୍ଫାନ୍ ଘଣ୍ଟା ପ୍ରତି ୩ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ସେହିପରି ଆସନ୍ତା ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ।

ଓଡ଼ିଶାରେ ବାତ୍ୟା ଅମ୍ଫାନର ପ୍ରଭାବ ପଡିବା ସମ୍ଭାବନା ରହିଛି। ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ବେଳେ ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି। ସେହିପରି ୧୨ଟି ଜିଲ୍ଳାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥି ମଧ୍ୟରୁ ୪ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଭଦ୍ରକରେ ବାତ୍ୟା ପ୍ରଭାବ ଅଧିକ ଥିବା କୁହାଯାଇଛି। ବାତ୍ୟା ପ୍ରଭାବରେ ୧୮ ତାରିଖରୁ ଯେଉଁ ଜିଲ୍ଲାରେ ଦରକାର ପଡିବ ସେଠାରେ ଆସନ୍ତାକାଲିଠୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଏସଆରସି କହିଛନ୍ତି।