ଲଘୁଚାପ ଦୁର୍ବଳ: ପାଗ ରହିବ ଶୁଖିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୁଇଦିନର ଲଗାଣ ବର୍ଷା ପରେ ଲଘୁଚାପ ଦୁର୍ବଳ ହୋଇଛି। ଫଳରେ ଶୁକ୍ରବାର ବର୍ଷା କମିଥିବା ବେଳେ ଶନିବାର ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶନିବାର ରାଜ୍ୟର କାଁ ଭାଁ ଅଞ୍ଚଳକୁ ଛାଡ଼ିଦେଲେ ସୁବୁଆଡ଼େ ପାଗ ଶୁଖିଲା ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେରନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଠାରୁ ସମ୍ବଲପୁର ଦକ୍ଷିଣ ପାଶ୍ୱର୍ରେ ଅଳ୍ପେ ବହୁତ ବର୍ଷା ହୋଇପାରେ। କଟକଠାରୁ ଗଞ୍ଜାମ ପର୍ଯ୍ୟନ୍ତ ସମସ୍ତ ଉପକୂଳ ଜିଲ୍ଲା ଓ ଏହାର ସଂଲଗ୍ନ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବା ସହିତ ଅସରାଏ ଦି ଏସରାଏ ବର୍ଷା ହୋଇପାରେ। ତେବେ ଦୀପାବଳି ଦିନ ବାଲେଶ୍ୱରର କିଛି ଅଞ୍ଛଳକୁ ଛାଡ଼ିଦେଲେ ଉତ୍ତର ଓଡ଼ିଶାରେ ପାଗ ମୁଖ୍ୟତ ଶୁଖିଲା ଓ ଖରାଟିଆ ରହିବ।

ଲଘୁଚାପଟି ଦୁର୍ବଳ ହୋଇଯାଇଥିବା ବେଳେ ଦୀପାବଳି ପର୍ଯ୍ୟନ୍ତ ବଙ୍ଗୋପସାଗରୀୟ ସାମୁଦ୍ରିକ ପବନ ରାଜ୍ୟକୁ ବୋହିବ। ଏଥିପାଇଁ ରାଜ୍ୟରେ ଘଡ଼ଘଡ଼ି ସହିତ ଅଶାରାଏ ଦିଅଶାରା ବର୍ଷାର ସମ୍ଭାବନା ବଢ଼ିଯାଇଛି। ମାତ୍ର ୨୮ ତାରିଖ ଠାରୁ ଉତ୍ତର ପଶ୍ଚିମ ପବନ ବୋହିବା ଆରମ୍ଭ ହେବାକୁ ଥିବା ବେଳେ ଏହା ଯୋଗୁଁ ରାଜ୍ୟରେ ପାଗ ଖରାଟିଆ ରହିବା ସହିତ ସେହିଦିନଠାରୁ ତାପମାତ୍ରା କମିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।