ବୁଧବାର କମିବ ଶୀତ, ଫେରିବ ବର୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାକୁ ପୁଣି ଫେରିବ ବର୍ଷା। ଦୁଇ ତିନି ଦିନ ହେବ ପାଗରେ ପରିବର୍ତ୍ତନ ଆସି ସାମାନ୍ୟ ଶୀତ ଅନୁଭୂତ ହେଉଥିବା ବେଳେ ଆସନ୍ତା ୯ ତାରିଖଠାରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଶୀତ ଅନୂଭୁତ ହେବା ପରେ ପୁଣି ବୁଧବାରଠାରୁ ତାପମାତ୍ରା ବୃଦ୍ଧି ପାଇବ। ଫଳରେ ଶୀତ କମିଯିବ। ଏହାପରେ ୯ ତାରିଖଠାରୁ ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇ ଏହା ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେହିପରି ଏହି ସମୟରେ ପାଗ କୋହଲା ରହିବା ସହିତ ୧୧ ତାରିଖ ଦିନ ଉତ୍ତର ଓଡ଼ିଶାରେ ପ୍ରବଳ କୁହୁଡ଼ି ହେବ। ଅନ୍ୟପକ୍ଷରେ ମଙ୍ଗଳବାର ମଧ୍ୟରେ ପ୍ରବଳ ଶୀତ ଅନୂଭୁତ ହେବ। ବିଶେଷକରି ଅନୁଗୁଳ, ବୌଦ୍ଧ, ସୋନପୁର, ଦେବଗଡ଼ ଆଦି ଜିଲ୍ଲା ପାଇଁ କୋଲ୍ଡ ୱେଭ୍ ଜାରି ହୋଇଥିବା ବେଳେ ସୋନପୁର, ବଲାଙ୍ଗିର, କଳାହାଣ୍ଡି, ଓ କନ୍ଧମାଳ ଜିଲ୍ଲାରେ ଶୀତ ସାଙ୍ଗକୁ ଘନ କୁହୁଡ଼ି ହେବ। ଶୀତ ଓ କୁହୁଡ଼ିକୁ ଦୃଷ୍ଟିରେ ରଖି ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ଗୋପାଳପୁରଠାରୁ ଝାରସୁଗୁଡ଼ା ସଂଯୋଗ କରୁଥିବା ସରଳରେଖାର ଉତ୍ତର ଦିଗରେ ଥଣ୍ଡା ଉତ୍ତରା ପବନ ବୋହୁଛି। ତେଣୁ ସେଠାରେ ସୋମବାର ରାତିର ସର୍ବନିମ୍ନ ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ କମିବା କାରଣରୁ ଏହି ସ୍ଥାନଗୁଡ଼ିକରେ ଥଣ୍ଡା ହେବ। ତେବେ ଏହି ସରଳ ରେଖାର ଦକ୍ଷିଣରେ ଥିବା ଜିଲ୍ଲାଗୁଡ଼ିକରେ ରାତିର ତାପମାତ୍ରା ପ୍ରାୟ ୧ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ଆରମ୍ଭ ହେବ।

ସେହିପରି ଆନ୍ଧ୍ରପ୍ରଦେଶ ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବା କାରଣରୁ ମାତ୍ର ୭ ତାରିଖଠାରୁ ରାଜ୍ୟକୁ ଥଣ୍ଡା ଉତ୍ତରା ପବନ ବୋହିବା ବନ୍ଦ ହେବ। ଏହା ବ୍ୟତୀତ ସାରା ରାଜ୍ୟକୁ ବଙ୍ଗୋପ ସାଗରୀୟ ଓ ଆରବ ସାଗରୀୟ ପବନ ବୋହିବ। ଯାହାଫଳରେ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଥଣ୍ଡା କମିବ। ୮ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ବଢ଼ିବା ସହିତ ୮ରେ ଶତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ୱଳ୍ପ ବର୍ଷା ହେବ। ଉପକୂଳ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ଓ ଖରାଟିଆ ରହିବାର ସମ୍ଭାବନା ଥିବା ବେଳେ ୯ ତାରିଖ ପର୍ଯ୍ୟନ୍ତ ବାକି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସେହିପରି ୧୦ ଓ ୧୧ ତାରିଖରେ ଭୁବନେଶ୍ୱର ସମେତ ଦକ୍ଷିଣ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ସେପଟେ ରାଜ୍ୟରେ ଦୁଇଦିନ ହେବ ତାପମାତ୍ରାରେ ସାମନ୍ୟ ହ୍ରାସ ଯୋଗୁ ଶୀତ ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୭.୫, ଅନୁଗୁଳରେ ୯ ଓ ସମ୍ବଲପୁରରେ ପାରଦ ୯.୫ ଡିଗ୍ରୀ ତଳେ ରହିଛି।