ପ୍ରାଥମିକ ସ୍କୁଲରେ ନିଯୁକ୍ତ ହେବେ ପିଅନ ଓ ୱାଚମ୍ୟାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ସବୁ ସରକାରୀ ପ୍ରାଥମିକ ସ୍କୁଲରେ ପିଅନ ଏବଂ ୱାଚମ୍ୟାନଙ୍କୁ ନିଯୁକ୍ତ କରାଯିବ। ଫଳରେ ସ୍କୁଲର ଦୈନନ୍ଦିନ କାର୍ଯ୍ୟକ୍ରମରେ ଉନ୍ନତି ଘଟିବା ସହ ରାତିରେ ସ୍କୁଲର ସୁରକ୍ଷା ମଧ୍ୟ ରହିବ। ପୂର୍ବରୁ ରାଜ୍ୟର କୌଣସି ପ୍ରାଥମିକ ସ୍କୁଲରେ ଏହି ପଦବୀ ଲାଗି କାହାରିକୁ ନିଯୁକ୍ତି ଦିଆଯାଉନଥିଲା। ତେବେ ଏହି ନିଯୁକ୍ତି ପ୍ରକ୍ରିୟା ସ୍ଥାୟୀ ନା କଣ୍ଟ୍ରାକ୍ଚ୍ୟୁଆଲ ଭାବେ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ।

ପୂର୍ବରୁ ସରକାରୀ ସ୍କୁଲରେ କୌଣସି ପିଅନ ନଥିବାରୁ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀମାନେ ଦୈନିକ ସ୍କୁଲ ଖୋଲିବା ଠାରୁ ଆରମ୍ଭ କରି ଶ୍ରେଣୀକକ୍ଷ ସଫାକରିବା, ଶୌଚାଳୟ ସଫା କରିବା ଆଦି ସବୁ କାର୍ଯ୍ୟରେ ନିୟୋଜିତ ହେଉଥିଲେ। ଫଳରେ ପଢ଼ାରେ ବ୍ୟାଘାତ ହେଉଥିବା ବେଳେ ଅନେକ ସମୟରେ ବିଦ୍ୟାଳୟର କିଛି ଅଫିସିଆଲ କାର୍ଯ୍ୟ ଯଥା ଜେରକ୍ସ କରିବା, ଚିଠି ଡାକଘରକୁ ନେବା, ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଖାଦ୍ୟ ଦେବା, ପିଇବା ପାଣିର ବ୍ୟବସ୍ଥା କରିବା ଆଦି ସବୁ କାର୍ଯ୍ୟ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦ୍ୱାରା ସମ୍ପାଦିତ ହେଉଥିଲା।

ଏହାବ୍ୟତୀତ କୌଣସି ସ୍କୁଲରେ ରାତ୍ରି ଜଗୁଆଳ ନଥିବାରୁ ଅନେକ ସମୟରେ ସ୍କୁଲ ଛୁଟି ହେବା ପରେ ସ୍କୁଲ ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିଲା। ଏପରିକି ଅନେକ ସମୟରେ ସ୍କୁଲରେ ଚୋରି ହେଉଥିବା ଅଭିଯୋଗ ହେଉଥିଲା। ଏପରି ବ୍ୟବସ୍ଥା ମାଧ୍ୟମରେ ସ୍କୁଲରେ ନିରାପତ୍ତା ସୃଷ୍ଟି ହେବ ବୋଲି ଶିକ୍ଷାବିତ୍ମାନେ ମତବ୍ୟକ୍ତ କରିଛନ୍ତି।

ରାଜ୍ୟରେ ଶିକ୍ଷାର ବିକାଶ ଆଣିବାକୁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଶିକ୍ଷକଙ୍କ ଲାଗି କୌଣସି ସୁବିଧା ନଥିବା ଅଭିଯୋଗ ହେଉଥିଲା। ଏପରିକି ଅନେକ ସ୍କୁଲରେ କେବଳ ଶିକ୍ଷୟିତ୍ରୀମାନେ ଥିବାରୁ ସେମାନଙ୍କ ସୁରକ୍ଷା ଏବଂ ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଉଠିଥାଏ।

ସେହିପରି କୌଣସି ପ୍ରାଥମିକ ସ୍କୁଲରେ ୱାଚମ୍ୟାନ ନଥିବାରୁ ସ୍କୁଲ ପରିସରରେ ନିରାପତ୍ତା ନଥାଏ। ରାତିରେ ନିଶାଖୋରଙ୍କ ଅବାଧ ପ୍ରବେଶ ହେଉଥିବା ବେଳେ ସ୍କୁଲ ବାରଣ୍ଡାରେ ମଦବୋତଲ ଠାରୁ ଆରମ୍ଭ କରି ବିଭିନ୍ନ ଅଳିଆଆବର୍ଜନା ପଡ଼ିରହିଥାଏ। ତେଣୁ ଏପରି ସମସ୍ୟାକୁ ନଜର ଦେଇ ପ୍ରାଥମିକ ସ୍କୁଲରେ ଜଣେ ଲେଖାଏଁ ପିଅନ ଏବଂ ୱାଚ୍ମ୍ୟାନ ନିଯୁକ୍ତ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଆଉଟ୍ସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦିଆଯିବ କି କଣ୍ଟ୍ରାକ୍ଚ୍ୟୁଆଲ ସେ ସମ୍ପର୍କରେ ବିଚାରବିମର୍ଶ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ୪ଟି ପର୍ଯ୍ୟାୟରେ ଏହି ନିଯୁକ୍ତି ପ୍ରକ୍ରିୟା କରାଯିବ। ଯେଉଁ ସବୁ ସ୍କୁଲରେ ଜଣେ କିମ୍ବା ୨ଜଣ ଲେଖାଏଁ ଶିକ୍ଷକ ପଢ଼ାଉଛନ୍ତି ସେହି ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ପିଅନଙ୍କୁ ନିଯୁକ୍ତି ଦିଆଯିବ। ତେଣୁ ରାଜ୍ୟର କେଉଁ ସ୍କୁଲରେ ସର୍ବାଧିକ ସମସ୍ୟା ରହିଛି ସେହି ସ୍କୁଲକୁ ଚିହ୍ନଟ କରାଯିବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।