ପଞ୍ଚାୟତ ନିର୍ବାଚନ: ଆଜି ୩ୟ ପର୍ଯ୍ୟାୟରେ ୧୮,୪୯୫ ବୁଥରେ ମତଦାନ

ଗତ ୧୬ ଓ ୧୮ ତାରିଖରେ ହୋଇଥିବା ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ସମୟରେ ରାଜ୍ୟରେ ୪୫ଟି ମତଦାନ କେନ୍ଦ୍ରରେ ବିଭ୍ରାଟ ଦେଖାଯାଇଥିଲା। ହିଂସା, ଆତଙ୍କରାଜ ଦେଖିବାକୁ ମିଳିଥିଲା। ପୁରୀ ଜିଲ୍ଲାର କଣାସ ଓ କୃଷ୍ଣପ୍ରସାଦରେ ବୋମାମାଡ଼ ହୋଇଥିଲା। ଯାଜପୁର ଜିଲ୍ଲାରେ ମଧ୍ୟ ଭୋଟ ବାକ୍ସ କ୍ୟାପଚରିଂ ହୋଇଥିଲା। ଭୋଟ ବିଭ୍ରାଟ ଘଟଣାରେ ପୋଲିସ ୬୨ ଜଣଙ୍କୁ ଗିରଫ କରିସାରିଛି। ତେଣୁ ତୃତୀୟ ପର୍ଯ୍ୟାୟର ମତଦାନ ପାଇଁ ପୋଲିସ ଅଧିକ ସତର୍କ ରହିଛି। ମୋଟ ୨୪୦ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି। ୧୬୨୫ଟି ମୋଟାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ଅଛନ୍ତି।

ସୂଚନାଯୋଗ୍ୟ, ଯେଉଁମାନେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରିବାକୁ ଯାଉଛନ୍ତି, ସେମାନଙ୍କ ନାଁ ଭୋଟର ତାଲିକାରେ ଥିବା ଦରକାର। ନିର୍ବାଚନ ପରିଚୟ ପତ୍ର ଦେଖାଇ ସେମାନେ ମତଦାନ କେନ୍ଦ୍ରକୁ ଯାଇପାରିବେ। ଯଦି କୌଣସି କାରଣରୁ ଭୋଟ ପରିଚୟ ପତ୍ର ପାଖରେ ନାହିଁ, ତାହେଲେ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଲାଭ କରିଥିବା ୧୩ଟି ଦସ୍ତାବିଜ (ପାନକାର୍ଡ, ଆଧାରକାର୍ଡ, ନରେଗା କାର୍ଡ, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି) ମଧ୍ୟରୁ ଯେକୌଣସି ମଧ୍ୟରୁ ଗୋଟିଏ ନେଇଯାଇପାରିବେ। ତେବେ ରାଜ୍ୟରେ କରୋନା ସଂପୂର୍ଣ୍ଣ ରୂପେ ନିୟନ୍ତ୍ରିତ ହୋଇ ନଥିବାରୁ ମତଦାନ କେନ୍ଦ୍ରରେ କୋଭିଡ-୧୯ ଗାଇଡଲାଇନ ପାଳନ କରିବାକୁ ହେବ।