ମହାକାଶ ଗବେଷଣା କ୍ଷେତ୍ରରେ ସାମିଲ ହେବ ଭିସୁଟ୍

ସମ୍ବଲପୁର,ଏନ୍ଏନ୍ଏସ୍: ମହାକାଶ ଓ ରକେଟ୍ ନିର୍ମାଣ କ୍ଷେତ୍ରରେ ଗବେଷଣାରେ ଇଞ୍ଜିନିୟରିଂ ଛାତ୍ରଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଓ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) ମଧ୍ୟରେ ମଙ୍ଗଳବାର ରାଜିନାମା (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ଇସ୍ରୋର ଅଧ୍ୟକ୍ଷ ଡ. କେ ଶିବନଙ୍କ ଉପସ୍ଥିତିରେ ଆୟୋଜିତ ଭର୍ଚୁଆଲ ସମାରୋହରେ ଇସ୍ରୋର ଦକ୍ଷତା ବିକାଶ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡ. ପିଭି ଭେଙ୍କଟକ୍ରିଷ୍ଣା ଓ ଭିସୁଟ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ମଧ୍ୟରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ଏମ୍ଓୟୁ ଅନୁଯାୟୀ ଭିସୁଟ୍ରେ ବୀର ସୁରେନ୍ଦ୍ର ସାଏ ମହକାଶ ଅନ୍ୱେଷଣ କେନ୍ଦ୍ର ବିକଶିତ କରିବା ସକାଶେ ଇସ୍ରୋ ଏକକାଳୀନ ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିବ। ଏଥିରେ ଭିସୁଟ୍ରେ ମହାକାଶ ସମ୍ବନ୍ଧୀୟ ପ୍ରକଳ୍ପ ଓ ରକେଟ୍ ଉତକ୍ଷେପଣ ଯାନ ନିର୍ମାଣ ପ୍ରକଳ୍ପ ଉପରେ କାର୍ଯ୍ୟ କରାଯିବ। ସେଥିପାଇଁ ଇସ୍ରୋ ପକ୍ଷରୁ ଭିସୁଟ୍ ମହାକାଶ ଅନ୍ୱେଷଣ କେନ୍ଦ୍ରକୁ ଆବଶ୍ୟକ ଜ୍ଞାନ କୌଶଳ ଯୋଗାଇ ଦିଆଯିବା ସହ ଶ୍ରୀହରିକୋଟା, ଥୁମ୍ବା ଓ ବାଲେଶ୍ୱରସ୍ଥିତ ଚାନ୍ଦିପୁର ଉତକ୍ଷେପଣ ଘାଟିରେ ରକେଟ୍ ପରୀକ୍ଷଣ ସୁବିଧା ଦିଆଯିବ। ଭିସୁଟ୍ର ଛାତ୍ରଛାତ୍ରୀଙ୍କୁ ଇସ୍ରୋର ପରୀକ୍ଷାଗାରରେ ପ୍ରଶିକ୍ଷଣ ଦିଆଯିବ। ଏହି ଏମ୍ଓୟୁ ସ୍ୱାକ୍ଷର ଭିସୁଟ ପାଇଁ ଏକ ଐତିହାସିକ ଘଟଣା ହୋଇଥିବାବେଳେ କେବଳ ଓଡ଼ିଶା ନୁହେଁ ଦେଶର କୌଣସି ଶିକ୍ଷାନୁଷ୍ଠାନ ସହ ଇସ୍ରୋ ଛାତ୍ରଛାତ୍ରୀଙ୍କ ଗବେଷଣାରେ ସହାୟକ ହେବାକୁ ଏଭଳି ଏମ୍ଓୟୁ ପ୍ରଥମ ବୋଲି କୁହାଯାଇଛି।

ଏମ୍ଓୟୁ ସ୍ୱାକ୍ଷର ଅବସରରେ ଇସ୍ରୋ ଅଧ୍ୟକ୍ଷ ଡ. ଶିବନ ତାଙ୍କ ବକ୍ତବ୍ୟରେ ଗବେଷଣା କ୍ଷେତ୍ରରେ ଭିସୁଟ୍ ଛାତ୍ରଛାତ୍ରୀଙ୍କ ଆଗ୍ରହର ପ୍ରଶଂସା କରିବା ସହ ଏମ୍ଓୟୁରେ ପ୍ରସ୍ତାବିତ ବୀର ସୁରେନ୍ଦ୍ର ସାଏ ମହାକାଶ ଅନ୍ୱେଷଣ କେନ୍ଦ୍ର ଛାତ୍ରଛାତ୍ରୀଙ୍କୁ ମହାକାଶ ସମ୍ପର୍କିତ ଅତ୍ୟାଧୁନିକ ଜ୍ଞାନ ଉପଲବ୍ଧ କରାଇବ ବୋଲି କହିଥିଲେ। ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ମହାକାଶ ଗବେଷଣା ଓ ପ୍ରୟୋଗ ଦିଗରେ ଅଧିକ ଆଗ୍ରହ ପ୍ରକାଶ କରିବେ ବୋଲି ଡ. ଶିବନ୍ ଆଶାପୋଷଣ କରିବା ସହ ସବସିଷ୍ଟମ ଓ ପ୍ରୋପୁଲେସନର ବିକାଶ ସକାଶେ ଅଧିକ ଗବେଷଣା ଆବଶ୍ୟକ ବୋଲି କହିଥିଲେ। ସମାରୋହରେ ଭର୍ଚୁଆଲ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ସଞ୍ଜୟ କୁମାର ସିଂହ ସାମିଲ ହୋଇ କହିଥିଲେ ଯେ ମହାକାଶ ଉପରେ ଗବେଷଣାରେ ଇସ୍ରୋର ଏଭଳି ସହଯୋଗ ଯୁବ ଇଂଜିନିୟରମାନଙ୍କ ମଧ୍ୟରେ ବୈଜ୍ଞାନିକ ପ୍ରତିଭା ବିକଶିତ କରିପାରିବ। ଇସ୍ରୋର ବୈଜ୍ଞାନିକ ଡ. ବିଜନ ଦାସ ଭିସୁଟ ଛାତ୍ରଛାତ୍ରୀଙ୍କ ଆଗ୍ରହ, ନିରନ୍ତର ଉଦ୍ୟମ ଓ ଇସ୍ରୋର ପ୍ରୋତ୍ସାହନ ବାବଦରେ ସୂଚନା ଦେଇଥିଲେ।

ଭିସୁଟରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଆୟୋଜିତ ସମାରୋହରେ ଭିସୁଟ ଆଇଡିଆ ଆଣ୍ଡ ଇନୋଭେସନ ସେଲ୍ର ମୁଖ୍ୟ ପ୍ରଫେସର ଦେବଦତ୍ତ ମିଶ୍ର, ଅନ୍ୟ ବରିଷ୍ଠ ପ୍ରଫେସର ବୃନ୍ଦ ତଥା ତିନି ଜଣ ଛାତ୍ର ଉପସ୍ଥିତ ଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, ଭିସୁଟ ବିଶ୍ୱବିଦ୍ୟାଳୟର ଆଇଡିଆ ଓ ଇନୋଭେସନ ସେଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଉପଗ୍ରହ ରକେଟ୍ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ହାସଲ କରିବା ସହିତ ବିଭିନ୍ନ ରେକର୍ଡ ବୁକରେ ସ୍ଥାନିତ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ଏକ ସଂସ୍କରଣରେ ଭିସୁଟ ଛାତ୍ରଛାତ୍ରୀଙ୍କ ଉପରୋକ୍ତ ଗବେଷଣାର ଅବତାରଣା କରିଥିଲେ।