ଆରପାରିରେ ବିକ୍ରମ ଗୋଖଲେ

ମୁମ୍ବାଇ: ହିନ୍ଦୀ ଓ ମରାଠୀ ସିନେମା ଜଗତର ବର୍ଷୀୟାନ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ ଘଟିଛି । ଗୋଖଲେ ନଭେମ୍ବର ୫ରୁ ପୁଣେସ୍ଥିତ ପଣ୍ଡିତ ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଭର୍ତ୍ତି ଥିଲେ । ଶରୀରର ଅନେକ ଅଙ୍ଗ କାମ କରୁନଥିବାରୁ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ପରେ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଜି ଅପରାହ୍ନ ୪ଟା ବେଳେ ଗୋଖଲେଙ୍କ ପ୍ରାର୍ଥୀବ ଶରୀର ଶେଷ ଦର୍ଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଅଭିନେତା ବିକ୍ରମ ଗୋଖଲେ ତାଙ୍କ ଫିଲ୍ମ କ୍ୟାରିୟର ୧୯୭୧ ମସିହାରେ ୨୬ ବର୍ଷ ବୟସରେ ଆରମ୍ଭ କରିଥିଲେ । ଗୋଖଲେ ମରାଠୀ ସମେତ ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି । ସେଥିମଧ୍ୟରୁ ୧୯୯୦ ମସିହାରେ ଅମିତାଭ ବଚ୍ଚନଙ୍କ ‘ଅଗ୍ନିପଥ’ ଓ ସଲମାନ ଖାନଙ୍କ ‘ହମ ଦିଲ ଦେ ଚୁକେ ସନମ୍‌’ ଅନ୍ୟତମ । ଗୋଖଲେଙ୍କୁ ଶେଷଥର ପାଇଁ ଶିଳ୍ପା ସେଟ୍ଟୀ ଓ ଅଭିମନ୍ୟୁ ଦାସାନୀଙ୍କ ‘ ନିକମ୍ମା’ ଫିଲ୍ମରେ ଦେଖିବାକୁ ମିଳିଥିଲା ।