ଭେଡେନ୍ ଗଣଦୁଷ୍କର୍ମ ହତ୍ୟା ମାମଲା

ବ୍ୟକ୍ତିଗତ ଭାବେ ହାଜର ହେଲେ ଥାନା ଅଧିକାରୀ ଓ ଏସଡିପିଓ
ଭୁବନେଶ୍ୱର,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଭେଡେନ୍ ଥାନା ଅନ୍ତର୍ଗତ ରୁପାପଲ୍ଲୀରେ ହୋଇଥିବା ତିନି ଜଣ ଦଳିତ ମହିଳାଙ୍କୁ ଗଣଧର୍ଷଣ ଓ ହତ୍ୟା ଘଟଣାରେ ଭେଡେନ୍ ଥାନା ଅଧିକାରୀ ଏବଂ ବରଗଡ଼ ଏସ୍ଡିପିଓ ରାଜ୍ୟ ମାନବାଧିକାର କମିଶନ ନିକଟରେ ବ୍ୟକ୍ତିଗତ ହାଜର ହୋଇ ମାମଲାର ତଦନ୍ତର ସ୍ଥିତି ସମ୍ପର୍କରେ କମିଶନଙ୍କୁ ରିପୋର୍ଟ ଦେଇଛନ୍ତି। ଆଇନ୍ଜୀବୀ ନିଶିକାନ୍ତ ମିଶ୍ରଙ୍କ ଦ୍ୱାରା ଦିଆଯାଇଥିବା ପିଟିସନ୍ର ଶୁଣାଣି କରି ମାନବାଧିକାର କମିଶନ ପୂର୍ବରୁ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ମାମଲାର ତଦନ୍ତ ସମ୍ପର୍କରେ ରିପୋର୍ଟ ତଲବ କରିଥିଲେ।

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ଭେଡେନ୍ ଥାନା ଅନ୍ତର୍ଗତ ରୁପାପଲ୍ଲୀରେ ପ୍ରଜାକୋର୍ଟ ଦ୍ୱାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର ତିନିଜଣ ମହିଳାଙ୍କୁ ୨୦୧୬ ମସିହା ସେପ୍ଟେମ୍ବର ୨୩ତାରିଖରେ ପୁଲିସ ସେମାନଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ପରେ ସେମାନଙ୍କୁ ଗ୍ରାମବାସୀଙ୍କ ହାତରେ ସମର୍ପଣ କରିଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିବା ବେଳେ, ଅନ୍ୟ ଦୁଇଜଣ ମହିଳାଙ୍କୁ ଦଶ ଦିନ ପର୍ଯ୍ୟନ୍ତ ଗ୍ରାମବାସୀ ଜଙ୍ଗଲରେ ରଖି ଧର୍ଷଣ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଏନେଇ ପୁଲିସ କୌଣସି ପଦକ୍ଷେପ ନନେବା ପରେ ୨୦୧୭ ମସିହା ମେ’ ୩ତାରିଖରେ ଏନେଇ ପୀଡ଼ିତାଙ୍କ ଭାଇ ବରଗଡ଼ ଏସପି ଏବଂ ଅନ୍ୟ ପୁଲିସ କର୍ତ୍ତୁପକ୍ଷଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ। ମାତ୍ର ପରବର୍ତ୍ତୀ ଜୁଲାଇ ୧୯ତାରିଖରେ ମହିଳାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିଲା। ଫଳରେ ଖସିଆସିଥିବା ମହିଳା ଜଣକ ନ୍ୟାୟ ପାଇଁ ମାନବାଧିକାର କମିଶନର ଦ୍ୱାରସ୍ଥ ହୋଇଥିଲେ। ୨୦୧୯ ମାର୍ଚ୍ଚ ୧୫ରେ ମାନବାଧିକାର କମିଶନ ପକ୍ଷରୁ ଏନେଇ ରିପୋର୍ଟ ଦେବାକୁ ବରଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏସ୍ପି ଦେଇଥିବା ରିପୋର୍ଟରେ ମାନବାଧିକାର କମିଶନ ପଚାରିଥିବା ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ଦିଆଯାଇନାହିଁ।

ତେଣୁ ୨୦୧୭ ମସିହା ମେ’ ୩ତାରିଖରେ ଏନେଇ ପୀଡ଼ିତା ଭାଇ ଦେଇଥିବା ଅଭିଯୋଗପତ୍ରକୁ ଆଧାର କରି ବରଗଡ଼ ପୁଲିସ ପୁଣି ଥରେ ମାମଲା ରୁଜୁ କରି ରିପୋର୍ଟ ପ୍ରଦାନ କରନ୍ତୁ ବୋଲି ୨୦୧୯ ସେପ୍ଟେମ୍ବର ୨୫ରେ ନିର୍ଦ୍ଦେଶ ମାନବାଧିକାର କମିଶନ। ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ନଦେଇ ପାରିଥିବାରୁ ବ୍ୟକ୍ତିଗତ ଭାବେ ଭେଡେନ୍ ଥାନା ଅଧିକାରୀ ଏବଂ ବରଗଡ଼ ଏସ୍ଡିପିଓଙ୍କୁ କମିଶନଙ୍କ ନିକଟରେ ହାଜିର ହେବାକୁ ପଡ଼ିଛି। ତେବେ ଅଧିକାରୀଙ୍କ ଦ୍ୱାରା ମାମଲାର ତଦନ୍ତକୁ ନେଇ ଦିଆଯାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ମାମଲାର ସଠିକ୍ ଯାଞ୍ଚ କରାଯାଇନାହିଁ ।

ଫଳରେ ଏନେଇ କମିଶନ କ୍ଷୋଭ ପ୍ରକାଶ କରିବା ସହ ମାର୍ଚ୍ଚ ୧୭ତାରିଖରେ ପୀଡ଼ିତାଙ୍କର ବୟାନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କମିଶନଙ୍କ ନିକଟରେ ପୀଡ଼ିତାଜଣଙ୍କ ସୁରକ୍ଷା ପାଇଁ ଆବେଦନ କରିଥିଲେ। ତେଣୁ ପୀଡ଼ିତ ତଥା ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ କମିଶନ ଭେଡେନ୍ ଥାନା ଅଧିକାରୀ ଏବଂ ବରଗଡ଼ ଏସ୍ଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣୀ ଏପ୍ରିଲ ୬ରେ କରାଯିବ।