ଆଜିଠୁ ବୟସ୍କଙ୍କୁ ଟିକା

ଭୁବନେଶ୍ୱର,୨୮ା୨/ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଲଗାତାର ଭାବରେ ବଢ଼ିଚାଲିଛି। କରୋନା ଲେଉଟାଣି ଚିନ୍ତାର କାରଣ ହୋଇଥିବା ବେଳେ ବ୍ୟାପକ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। ସୋମବାରଠାରୁ ରାଜ୍ୟରେ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କର ଟିକାକରଣ ଆରମ୍ଭ ହେବ। ୬୦ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଇପାରିବେ। ୪୫ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍ ବୟସର ଲୋକେ ଯେଉଁମାନେ କି ବହୁବିଧ ରୋଗରେ ପୀଡ଼ିତ, ସେମାନେ ଡାକ୍ତରୀ ସାର୍ଟିଫିକେଟ ଦେଖାଇବେ। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ସରକାରୀ ହସ୍ପିଟାଲରେ ଟିକା ମାଗଣାରେ ମିଳିବାକୁ ଥିବା ବେଳେ ଘରୋଇ ହସ୍ପିଟାଲରେ ପ୍ରତି ଡୋଜ୍ ୨୫୦ଟଙ୍କା ଦେବାକୁ ପଡ଼ିବ। ଯିଏ ଟିକା ନେବେ, ସେ କୋ-ୱିନ୍ ୨.୦ ପୋର୍ଟାଲରେ ପଞ୍ଜୀକରଣ କରିବେ। ଯିଏ ପଞ୍ଜୀକରଣ କରିନଥିବେ, ଅନଲାଇନ ପଞ୍ଜୀକରଣ କରି ଟିକା ନେଇପାରିବେ। ଟିକା ନେବା ବ୍ୟକ୍ତି ନିଜେ ଟିକାକରଣ କେନ୍ଦ୍ର ବାଛିପାରିବେ। ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକା ଦିଆଯିବ। ରାଜଧାନୀରେ ୩ୟ ପର୍ଯ୍ୟାୟ ଟିକାକରଣ ନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର।
୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଥମେ ଟିକା ମିଳିବ। ସମ୍, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ୍, ଆଦିତ୍ୟ, ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର, ହାଇଟେକ୍ ଆଦି ଘରୋଇ ହସ୍ପିଟାଲରେ ଟିକା ଦେବା ପାଇଁ ବିଏମ୍ସି ପକ୍ଷରୁ ପ୍ରସ୍ତୁତି କରାଯାଇଛି।