ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ବିଦେଶ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ସ୍ଥାନରେ ଟିକାକରଣ, ମିଳିବ କୋଭିସିଲ୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରୁ ଯେଉଁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ କୋଭିସିଲ୍ଡ ଟିକାକରଣ ଆରମ୍ଭ ହୋଇଛି। ଏହି ଟିକାର ଦୁଇଟି ଡୋଜ୍ ନେଇଥିଲେ ବିଦେଶରେ ପ୍ରବେଶ ଅନୁମତି ମିଳିବ।

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଦୁଇଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଖୋର୍ଦ୍ଧା ପିଏନ୍ କଲେଜ ଓ କଟକ ମହାନଗର ନିଗମ ପକ୍ଷରୁ ଗୋପାଳପୁରସ୍ଥିତ ସିଏମସି କଲ୍ୟାଣ ମଣ୍ଡପରେ ଟିକାକରଣ ବ୍ୟବସ୍ଥା କରାଯାଇଛି। ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ ଏଠାକୁ ଆସି ସିଧାସଳଖ ଟିକା ନେଇପାରିବେ। ସୋମବାରରୁ ଶୁକ୍ରବାର ଯାଏଁ ଟିକାକରଣ ଚାଲିବ।

ଟିକା ନେବା ବେଳେ ସାଙ୍ଗରେ ବିଦେଶ ବିଶ୍ୱବିଦ୍ୟାଳୟର କାଗଜପତ୍ର, ଆଧାର କାର୍ଡ କିମ୍ୱା ଅନ୍ୟ ଯେ କୌଣସି ପରିଚୟ ପ୍ରମାଣପତ୍ର ଆଣିବେ। ନିର୍ଦ୍ଧାରିତ ଦିନଗୁଡ଼ିକରେ ସକାଳ ୧୦ଟାରୁ ଦିନ ୨ଟା ଯାଏ ଟିକାକରଣ ଚାଲିବ। ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ସେମାନଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ।