ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ରାଜପଥ ଅବରୋଧ: ହଷ୍ଟେଲ ଖାଲି କରିବା ନିର୍ଦ୍ଦେଶକୁ ବିରୋଧ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ ସଂକ୍ରମଣ ତୀବ୍ର ଗତିରେ ବୃଦ୍ଧି ପାଉଥିବାବେଳେ ତାହାକୁ ଦୃଷ୍ଟିରେ ରଖି ବାଣୀବିହାରର ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ବିରୋଧ କରି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଆଜି ଶତାଧିକ ସଂଖ୍ୟାରେ ଏକ ଶୋଭଯାତ୍ରାରେ ଆସି ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓଭରବ୍ରିଜ ତଳେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଏହାଫଳରେ ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି। ଛାତ୍ରଛାତ୍ରୀଙ୍କର କହିବା କଥା ଯେ ସରକାର ଯଦି ମଦ ଦୋକାନ ଖୋଲା ରଖିପାରୁଛନ୍ତି, ତେବେ ଶିକ୍ଷାନୁଷ୍ଠାନକୁ କାହିଁକି ବନ୍ଦ କରାଯିବ। ସବୁଠାରୁ ବଡ ପ୍ରଶ୍ନ ସେମାନେ ଉଠାଇଛନ୍ତି ରାଜ୍ୟରେ ଅନୁଷ୍ଠିତ ହେଉଥିବା ଉପର୍ନିବାଚନକୁ ନେଇ।

ସେମାନେ କହିଛନ୍ତି, ପିପିଲି ଉପନିର୍ବାଚନରେ ହେଉଥିବା ପ୍ରଚାର, ସଭା, ସମାବେଶରେ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ର ହେଉଛନ୍ତି ଏବଂ ସେଠାରେ କୋଭିଡ ନିୟମାବଳୀ ପାଳନ କରାଯାଉନାହିଁ। ଅନ୍ୟପକ୍ଷରେ କୋଭିଡ ସଂକ୍ରମଣ ଆଳରେ ହଷ୍ଟେଲ ଖାଲିକରିବାକୁ ସେମାନଙ୍କୁ କୁହାଯିବା ସମ୍ପୂର୍ଣ୍ଣ ଭାବରେ ବେଆଇନ।

ଏହି ଆନ୍ଦୋଳନରେ ଛାତ୍ର ନେତା ମାନସ କୁମାର ସାହୁ, ଆଖିଲେଶ ଯାଦବ, ମହେଶ ପ୍ରସାଦ, ଭବରଞ୍ଜନ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲି।