ମୁଖ୍ୟମନ୍ତ୍ରୀଙ୍କ ୧୪ ଦିନିଆ ମାସ୍କ ଅଭିଯାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିଠାରୁ ସଙ୍କଳ୍ପ ନେଇ ଆମେ ସମସ୍ତେ ମାସ୍କ ପିନ୍ଧିବା। ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ। ମା’ ମାନଙ୍କୁ ଅନୁରୋଧ ପରିବାର ଲୋକେ ବାହାରକୁ ଗଲେ ମାସ୍କ ପିନ୍ଧାନ୍ତୁ। ମା’ମାନେ ସତର୍କ ହେଲେ କେବେ ବି କରୋନା ଘରକୁ ଆସିପାରିବନି। ସରକାର ବାହାରେ ଜଗିଛନ୍ତି, ମା’ମାନେ ଘରେ ଜଗନ୍ତୁ। ସଠିକ ଭାବେ ମାସ୍କ ପିନ୍ଧିବାକୁ ମଧ୍ୟ ମୁଖମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ମାନବ ଇତିହାସରେ ଏଭଳି ସଙ୍କଟ କେବେ ବି ଆସିନଥିଲା। ସମସ୍ତଙ୍କ ସହଯୋଗରେ ଆମେ ଅନେକ ଜୀବନ ରକ୍ଷା କରିଥିଲୁ। ଆମ ରାଜ୍ୟର ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଥିଲା। ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା। ବାରମ୍ବାର ଲକଡାଉନ, ସଟଡାଉନ କରିବାକୁ ପଡ଼ିଥିଲା। ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟର ଲକଡାଉନ ଓ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଗଲାଣି। ତେଣୁ ଆମେ କୋଭିଡ ନିୟମ ମାନିଲେ କରୋନା ସଂକ୍ରମଣ ରୋକିପାରିବା।