ଭୁବନେଶ୍ୱର,ଏନ୍ଏନ୍ଏସ୍: ବଲିଉଡ଼ରେ ବାୟୋପିକ ଟ୍ରେଣ୍ଡ କିଛି ନୂଆ କଥା ନୁହେଁ। କେତେବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତ କେତେବେଳେ ବକ୍ସର ମେରୀକମ୍ ପୁଣି ଆଉ କେତେବେଳେ ଧାବକ ମିଲଖା ସିଂଙ୍କ ନାମରେ ତିଆରି ହୋଇଛି ଚଳଚ୍ଚିତ୍ର। ଏବେ ସିନେପ୍ରେମୀ ଦେଖିବାକୁ ପାଇବେ ଓଡ଼ିଆ ପୁଅ ସାଇରାମର କାହାଣୀକୁ ନେଇ ଏକ ନୂଆ ଚଳଚ୍ଚିତ୍ର ‘ସିଲଭର ଗାନ୍ଧୀ’। ଜଣେ ସ୍ୱେଚ୍ଛାସେବୀ ଭାବେ କିପରି ସେ ପରିଚୟ ହାସଲ କରିପାରିଛନ୍ତି ତାହାକୁ ଗତିଶୀଳ ହୋଇଛି ଚଳଚ୍ଚିତ୍ରର କାହାଣୀ। ନୂଆଦିଲ୍ଲୀରେ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହୋଇସାରିଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ମନୋଜ ତିୱାରୀ ଯୋଗ ଦେଇଥିଲେ।
ସିଲଭର ସ୍କ୍ରିନରେ ଓଡ଼ିଆ ପୁଅର କାହାଣୀ। ସିନେପ୍ରେମୀ ଦେଖିବେ ସିଲଭର ଗାନ୍ଧୀର ଚରିତ୍ର ହାତରେ ବାଡ଼ି ଓ ଝାଡୁ ଧରି ସଙ୍ଗୀତ ମହାବିଦ୍ୟାଳୟରୁ କିପରି ଥିଲା ତା’ର ଦିଲ୍ଲୀ ଯାତ୍ରା। ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ସାଇରାମ ପାଇଛନ୍ତି ଏକ ନୂଆ ପରିଚୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତ ଅଭିଯାନର ବାର୍ତ୍ତାକୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇଥିଲେ ସାଇରାମ। ସେ ଯାହାକୁ ବି ଭେଟନ୍ତି ସ୍ୱଚ୍ଛତାର ବାର୍ତ୍ତା ଦିଅନ୍ତି। ଦେଶର କୋଣ ଅନୁକୋଣରେ ସାଉଁଟିଲେ ପ୍ରଶଂସା।
