ପଞ୍ଚାୟତ ନିର୍ବାଚନରେ ଶାସକ ଦଳର ହିଂସା ଏବଂ ଅରାଜକତାକୁ ଦୃଢ଼ ନିନ୍ଦା କରୁଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ନିର୍ବାଚନ ସମୟରେ ଆଜି ବିଭିନ୍ନ ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଏବଂ ବିଶୃଙ୍ଖଳାଳଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଞ୍ଚାୟତ ନିର୍ବାଚନରେ ଶାସକ ଦଳର ହିଂସା ତଥା ଅରାଜକତାକୁ ନିନ୍ଦା କରିଛନ୍ତି। ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଚିନ୍ତାଜନକ ଏବଂ ଦୁଃଖଦାୟକ ଏବଂ ନିର୍ବାଚନ ହିଂସା ସହ ଜଡିତ ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

ପ୍ରଧାନ ଏକ ଟ୍ୱିଟ୍ କରି କହିଛନ୍ତି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ତୃଣମୂଳ ସ୍ତରରେ ଭୋଟ୍ ଦେବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖାଯାଇଛି। ଏହା ଆମର ଗଣତନ୍ତ୍ର ପାଇଁ ଏକ ଶୁଭ ସଙ୍କେତ।

ଆଜି ଧର୍ମଶାଳା, ଯାଜପୁର, ବ୍ରହ୍ମଗିରି, ଅନୁଗୋଳ, ହିନ୍ଦୋଳ, ଭଦ୍ରକ, କଣାସ, ଜଳେଶ୍ୱର, ବାଙ୍ଗିରିପୋଷୀ, ଭଟଲି ଓ ପାଟଣାଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ମଧ୍ୟ ଘଟିଛି ଏହା ଚିନ୍ତାଜନକ ଓ ଦୁଃଖଦାୟକ।

ହିଂସା ଦ୍ୱାରା ଗଣତନ୍ତ୍ରର ଏହି ମହାନ ପର୍ବରେ ବ୍ୟାଘାତ୍ ଆସିବା ଅନୁଚିତ। ଶାସକ ଦଳର ହିଂସା ଓ ଅରାଜକତାକୁ ମୁଁ ଦୃଢ଼ ନିନ୍ଦା କରୁଛି। ଓଡ଼ିଶା ପ୍ରଶାସନ ଠିକ୍ ଭାବରେ ନିଜର କାର୍ଯ୍ୟ କରିବା ସହ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ। ରାଜ୍ୟରେ ପଞ୍ଚାୟତ ସ୍ତରରେ ନିର୍ବାଚନ ଆଉ ୪ ପର୍ଯ୍ୟାୟ ବାକି ଅଛି । ତେଣୁ ମୁଁ ଆଶା କରୁଛି ଆଗାମୀ ପର୍ଯ୍ୟାୟରେ ଭୋଟ୍ ଯେପରି ଶାନ୍ତିପୂର୍ଣ୍ଣ ହେବ ସେଥିନେଇ ରାଜ୍ୟ ନିର୍ବାଚନ ଆୟୋଗ ଧ୍ୟାନ ଦେବେ ବୋଲି ପ୍ରଧାନ ଟ୍ୱିଟ୍ କରିଛନ୍ତି।