ଅନଲାଇନରେ ହେବ ୟୁଜି-ପିଜି ପରୀକ୍ଷା

  • ଭୁବନେଶ୍ୱର: ଆସନ୍ତା ୨ରୁ୩ ମାସ ମଧ୍ୟରେ ରାଜ୍ୟରେ ମହାମାରୀର ତୃତୀୟ ଲହର ଆସିବାର ଆଶଙ୍କା ରହିଛି। କଲେଜ ଖୋଲି ପରୀକ୍ଷା କରିବା ସମ୍ଭବପର ନୁହେଁ। ତେଣୁ ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସରେ ଉଭୟ ୟୁଜି ଓ ପିଜି ଶ୍ରେଣୀର ଫାଇନାଲ ପରୀକ୍ଷା ଅନଲାଇନରେ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ୩ ରାଉଣ୍ଡ ଧରି ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କ ସହ ବିଚାରବିମର୍ଷ ପରେ ବିଭାଗ ପକ୍ଷରୁ ସୋମବାର ଏନେଇ ସୂଚନା ଦିଆଯାଇଛି।
    ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ୨୦୨୦-୨୧ ଶିକ୍ଷା ବର୍ଷରେ ୟୁଜି ଓ ପିଜି ଶ୍ରେଣୀର ଫାଇନାଲ ପରୀକ୍ଷା ଅନଲାଇନ୍ ମାଧ୍ୟମରେ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ, ମହାମାରୀ ଯୋଗୁଁ ପାଠପଢ଼ା ବିଶେଷଭାବେ ପ୍ରଭାବିତ ହୋଇଛି।
    ୨୦୨୦-୨୧ ଶିକ୍ଷା ବର୍ଷରେ ୟୁଜି ଓ ପିଜି ଶେଷ ବର୍ଷର ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ପରୀକ୍ଷା ଦେଇନଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷାରେ ପାସ୍ କରିବା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନଲାଇନ୍ରେ ଶିକ୍ଷାଦାନ ଜାରି ରହିଛି। ଯଦିଓ ରାଜ୍ୟରେ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି କିନ୍ତୁ ଆସନ୍ତା ୨-୩ମାସ ମଧ୍ୟରେ ତୃତୀୟ ଲହର ଆସିବାର ଆଶଙ୍କା କରାଯାଉଛି। ତେଣୁ କଲେଜରେ ପାଠପଢ଼ା ବା ପରୀକ୍ଷା କରିବା ଉଚିତ ହେବନି। ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ବିଭାଗୀୟ ପଦାଧିକାରୀମାନେ ଚଳିତମାସ ୧୨, ୧୮ ଓ ୨୫ତାରିଖରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କ ସହ ବିଚାରବିମର୍ଷର୍ କରିବା ପରେ ୨୦୨୦-୨୧ ଶିକ୍ଷାବର୍ଷର ୟୁଜି ଓ ପିଜି ଛାତ୍ରଛାତ୍ରୀ ଯେଭଳି ନିର୍ଦ୍ଧାରିତ ଅବଧିରେ ପରୀକ୍ଷା ଦେଇ ପାସ୍ କରିବେ ତାହା ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ନିଆଯାଇଛି।