ଭୁବନେଶ୍ବର,ଏଜେନ୍ସି: ଆସନ୍ତା ୧୩ ତାରିଖରୁ ୟୁଜି ଏବଂ ୧୭ରୁ ଆରମ୍ଭ ହେବ ପିଜି ପାଠପଢ଼ା । ୨୦୨୨-୨୩ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଥିବା ବେଳେ ସ୍ନାତକୋତ୍ତର ପାଠପଢ଼ା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ଛାତ୍ରଛାତ୍ରୀ ହଷ୍ଟେଲରେ ରହିବା ପାଇଁ ନାମ ଲେଖାଇଛନ୍ତି ସେମାନଙ୍କ ପାଇଁ ହଷ୍ଟେଲରେ ସମସ୍ତ ପ୍ରକାରର ସୁବିଧା ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ, ଯୁକ୍ତ ତିନିରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ସୁଯୋଗ ଦିଆଯାଇଛି । ଯେଉଁ ମହାବିଦ୍ୟାଳୟ ମାନଙ୍କରେ ଖାଲିଥିବା ଆସନରେ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ଆସନ୍ତା ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିବେ । ୨୭ ତାରିଖ ଅପରାହ୍ନ ସମୟରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୩୧ ତାରିଖରେ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇବେ ।
ସେହିଭଳି ନଭେମ୍ବର ୭ ତାରିଖ ଅପରାହ୍ଣ ସମୟରେ ଦ୍ଵିତୀୟ ମେଧା ତାଲିକା ପ୍ରକାଶ ପାଇବ । ୯ ରୁ ୧୧ ତାରିଖରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଇବେ । ରାଜ୍ୟରେ ୧୦୨୩ଟି ଡିଗ୍ରୀ କଲେଜରେ ମୋଟ ୨୫୨୦୧୩ଟି ସିଟ୍ ରହିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୬୧୧୭୯ ଜଣ ନାମ ଲେଖାଇ ସାରିଛନ୍ତି । ବର୍ତ୍ତମାନ ୯୦୮୩୪ ସିଟ ଖାଲି ପଡ଼ିଥିବା ନେଇ ସୂଚନା ରହିଛି ।