ଚାଲ ବୁଲିଯିବା ତିଖାଲି ଡ୍ୟାମ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ତିଖାଲି ଡ୍ୟାମ ବର୍ତ୍ତମାନ ପର୍ୟ୍ୟଟକଙ୍କ ମନ ମୋହୁଛି । ଏବେ ପିକନିକ ଋତୁ ଥିବାରୁ ଏଠାରେ ପର୍ୟ୍ୟଟକଙ୍କ ଭିଡ ପରିଲକ୍ଷିତ ହେଉଥିବା ବେଳେ ସେଇଠି ଥିବା ଘନ ସବୁଜ ବନାନୀ, ପ୍ରାକୃତିକ ସୌନ୍ଦର୍ୟ୍ୟ, ମନ୍ଦିର, ଆକର୍ଷଣୀୟ ପାର୍କ ସହ ଡ୍ୟାମରେ ବୁଲି ମଜା ନେଉଛନ୍ତି । ଜିଲ୍ଲା ସହ ଜିଲ୍ଲା ବାହାରୁ ଏବଂ ପଡୋଶୀ ରାଜ୍ୟ ମାନଙ୍କରୁ ଅନେକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ସହିତ ସାଧାରଣ ଲୋକେ ଆସି ଏଠାରେ ଭୋଜିଭାତ କରି ବେଶ ମଜା ଉଠାଉଛନ୍ତି ।

ଫଳରେ ଡିସେମ୍ବର ଏବଂ ଜାନୁଆରୀ ଏହି ୨ ମାସ ଏହି ପର୍ୟ୍ୟଟନସ୍ଥଳୀରେ ନାହିନଥିବାର ଭିଡ ଜମି ରହୁଛି । ଅନ୍ୟପକ୍ଷରେ ଏଠାରେ ଆନୁଷାଙ୍ଗିକ ସୁବିଧା ସୁଯୋଗ ନଥିବାରୁ ପର୍ୟ୍ୟଟକ ମାନଙ୍କରେ ଅସନ୍ତୋଷ ଦେଖାଦେଇଛି । ପର୍ୟ୍ୟଟକଙ୍କ ପାଇଁ ପିଇବା ପାଇଁ ଫିଲଟର ପାଣି ବ୍ୟବସ୍ଥା, ବିଶ୍ରାମ ଗୃହ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଭଳି ଅନେକ ଆନୁଷାଙ୍ଗିକ ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଏହି ପର୍ୟ୍ୟଟନସ୍ଥଳୀର ବିକାଶ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କଲେ ଏଠାରେ ପର୍ୟ୍ୟଟକଙ୍କ ଆହୁରି ଭିଡ ଦେଖାଯାଆନ୍ତା ବୋଲି ସାଧାରଣରେ ଦାବୀ ହେଉଛି ।

ଅନ୍ୟପକ୍ଷରେ ଏହି ପର୍ୟ୍ୟଟନ ସ୍ଥଳୀକୁ ଯିବାକୁ ହେଲେ ଜିଲାର ପ୍ରମୁଖ ସହର ଖଡିଆଳ ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ । ଖଡିଆଳ- ନୂଆପଡା ୩୫୩ ନଂ ଜାତୀୟ ରାଜପଥର ତିଖାଲି ଛକରୁ ୨ କିଲୋମିଟର ଭିତରକୁ ଗଲେ ତିଖାଲି ଡ୍ୟାମ ଦେଖିବାକୁ ମିଲେ । ନୂଆପଡା ସଦର ମହକୁମାରୁ ୬୦ କିଲୋମିଟର ହୋଇଥିବା ବେଳେ ଏଠାକୁ ଆସିବାକୁ ହେଲେ ୨ ଚକିଆ କିମ୍ବା ୪ ଚକିଆ ଯାନର ସହାୟତା ନେବାକୁ ପଡିଥାଏ ।