୩୫ ଛୁଇଁଲା ଆଳୁ, ଖାଉଟିକୁ ଚିନ୍ତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିଆଜ ଦର ବଡ଼ କଷ୍ଟରେ କାବୁକୁ ଆସିବା ପରେ ଆଳୁ ଦର ଏବେ ୩୦ ଛୁଇଁଲା। ଗତ ସପ୍ତାହରେ ଆଳୁ ୨୦ରୁ ୨୫ ଟଙ୍କା ଭିତରେ ଥିଲା। ଏବେ ଭୁବନେଶ୍ୱର, କଟକ, ବଲାଙ୍ଗିର, ରାଉରକେଲା ଭଳି ରାଜ୍ୟର ପ୍ରମୁଖ ସହରରେ ଆଳୁ ଦର ୩୫ ଟଙ୍କାରେ ପହଞ୍ଚିଛି। ତେବେ ବ୍ରହ୍ମପୁରରେ ଆଳୁ ଦର ୨୮ ଟଙ୍କା ରହିଛି। ଆଗାମୀ ୧୫ ଦିନ ଧରି ଆଳୁଦର ବୃଦ୍ଧି ରାଜ୍ୟ ପାଇଁ ଏକ ସ୍ଥାୟୀ ସମସ୍ୟା ହେବ ବୋଲି କଟକ ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଜଣାଇଛନ୍ତି।

ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜ୍ୟର ପ୍ରମୁଖ ଆଳୁ ଚାହିଦା ପଶ୍ଚିମବଙ୍ଗ ହିଁ ମେଣ୍ଟାଉଛି। ଏଭଳି କ୍ଷେତ୍ରରେ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ହଠାତ୍ କମିଯିବା ଫଳରେ ରାଜ୍ୟରେ ଏଭଳି ଅଭାବୀ ସ୍ଥିତି ଦେଖାଦେଇଛି। ତାଙ୍କ କହିବା କଥା ଯେ ପ୍ରଥମେ ମାତ୍ରାଧିକ ମୌସୁମୀ ବର୍ଷା ଓ ଏବେ ଅଦିନିଆ ବର୍ଷା ଉଭୟ ଆଳୁ ଚାଷ ଓ ଆମଦାନିରେ ବିଳମ୍ବ କରୁଛି। ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ସ୍ଥିତି ସମାନ। ଆଳୁ ଚାଷ ସରିଛି ହେଲେ ନୂଆ ଆଳୁ ଖୋଳା ହୋଇନି।

ନୂଆ ଆଳୁ ଅମଳ ହୋଇ ବଜାରକୁ ନଆସିବା ପର୍ଯ୍ୟନ୍ତ ବଜାରରେ ଏଭଳି ସ୍ଥିତି ରହିବ। ତେବେ ଆଳୁ ଆମଦାନୀ ପାଇଁ ଆହୁରି ୧୫ ଦିନ ସମୟ ଲାଗି ପାରେ ବୋଲି ଶ୍ରୀ ସାହୁ କହିଛନ୍ତି। ତେବେ ରାଜ୍ୟକୁ ଆଗରୁ ଯେତିକି ଆଳୁ ବଜାରକୁ ଆସୁଥିଲା, ଏବେ ତାହାର ଅଧା ଆଳୁ ଆସୁଛି। ପଶ୍ଚିମବଙ୍ଗ ଆମଦାନି ସମ୍ପର୍କରେ ମତ ରଖି କହିଛନ୍ତି ଯେ ଯଦିବା ପଶ୍ଚିମ ବଙ୍ଗରେ ଆଳୁ କମ୍ ରହିଛି କିନ୍ତୁ ସେଠାରେ ଆମ ଭଳି ଅଭାବୀ ସ୍ଥିତି ନାହିଁ। କେବଳ ଓଡ଼ିଶା ନୁହେଁ, ପ୍ରାୟ ୮ରୁ ୧୦ ରାଜ୍ୟକୁ ପଶ୍ଚିମବଙ୍ଗ ଆଳୁ ଯୋଗାଉଛି। ଏତେ ରାଜ୍ୟକୁ ଆଳୁ ଦେବାକୁ ପଡ଼ୁଥିବା ହେତୁ ଆଳୁକୁ ବିଭିନ୍ନ ରାଜ୍ୟ ମଧ୍ୟରେ ବିତରଣ କରିବା ପଡ଼ୁଛି।

ଏବେ ନୂଆ ଆଳୁ ନଥିବା ହେତୁ, ରାଜ୍ୟ ଭାଗରେ ଯେତିକି ଆଳୁ ପଡ଼ିବା କଥା ତାହା ମିଳିବା ସମ୍ଭବ ହେଉନି। ଅନ୍ୟପକ୍ଷରେ ଭୁବନେଶ୍ୱର ଭିଏସ୍ଏସ୍ ନଗର ଅଞ୍ଚଳର ପ୍ରିୟବ୍ରତ ପଟ୍ଟନାୟକଙ୍କ କହିବା କଥା ଯେ, ପିଆଜ ଦର ବୃଦ୍ଧି ବାଧୁଥିଲା, ମାତ୍ର ବିନା ପିଆଜରେ ରୋଷେଇ ସମ୍ଭବ। ହେଲେ ଆଳୁ ପ୍ରତିଦିନ ଦରକାର ହୁଏ। ଆମିଷ ଓ ନିରାମିଷ ଉଭୟ ଖାଦ୍ୟରେ ଆଳୁ ଦରକାର, ତେଣୁ ଆଳୁଦର ସୀମା ମଧ୍ୟରେ ରହିଲେ ଖାଉଟି ବଞ୍ଚିପାରିବେ ନାହିଁ।