ଗ୍ରାହକ ସାଜି ମାଡ଼ିବସିଲା ଏସ୍‌ଟିଏଫ୍‌: ବାଘଛାଲ ଜବତ, ୨ ଗିରଫ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥରେ ଚଢ଼ଉ କରି ଦୁଇଜଣ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି। ତାଙ୍କଠୁ ଦୁଇଟି କଲରାପତରିଆ ବାଘଛାଲ ଜବତ ହୋଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଖିରପଦା ଗ୍ରାମର ପ୍ରଶାନ୍ତ ମହାନ୍ତି(୪୦) ଓ ବଡ଼ସାହି ଥାନା ବାଲିଯୋଡ଼ା ଗ୍ରାମର ଗୋରା ବିନ୍ଧାଣୀ(୬୫)। ଗିରଫ ପରେ ଏସ୍‌ଟିଏଫ୍ ଅଭିଯୁକ୍ତଦ୍ୱୟଙ୍କୁ ବାରିପଦା ବନବିଭାଗକୁ ହସ୍ତାନ୍ତର କରିଥିଲା। ଉଭୟଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ବୁଧବାର କୋର୍ଟଚାଲାଣ କରାଯାଇଛି। ଜବତ ବାଘଛାଲର ପରୀକ୍ଷା ପାଇଁ ଡେରାଡୁନସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ପଠାଯାଇଛି। ଅଭିଯୁକ୍ତଦ୍ୱୟ ଶିମିଳିପାଳ ଜଙ୍ଗଲରୁ ବାଘ ଶିକାର କରିଥିବା ଏସ୍‌ଟିଏଫ୍ ଜାଣିବାକୁ ପାଇଛି। ଏମାନଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବାକୁ ଏସ୍‌ଟିଏଫ୍ ଓ ବନବିଭାଗ ଅଧିକ ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତଦ୍ୱୟଙ୍କ ପାଖରେ ଦୁଇଟି ବାଘଛାଲ ଥିବା ଏସ୍‌ଟିଏଫ୍ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏସ୍‌ଟିଏଫ୍ ଏନେଇ ବନବିଭାଗକୁ ଜଣାଇବା ପରେ ଉଭୟ ଟିମ୍ ଗ୍ରାହକ ସାଜି ଅଭିଯୁକ୍ତଦ୍ୱୟଙ୍କୁ ଯୋଗାଯୋଗ କରିଥିଲେ। ବଡ଼ ବାଘ ଚମଡା ୩ଲକ୍ଷ ଓ ସାନର ୧ଲକ୍ଷ ଟଙ୍କାରେ ଡିଲ ହୋଇଥିଲା। ଉଭୟଙ୍କୁ ବାଘ ଛାଲ ନେଇ ବୁଧବାର ବିଳମ୍ବିତ ରାତିରେ ଏସ୍‌ସିବି ଜୁନିଅର କଲେଜ, ରାଗ୍ଧା ନିକଟକୁ ଆସିବାକୁ କୁହାଯାଇଥିଲା। ସେମାନେ ସେଠାରେ ପହଞ୍ଚିବା ପରେ ମିଳିତ ଟିମ୍ ଚଢାଉ କରି କାବୁ କରିଥିଲେ। ୨୦୨୦ରୁ ଏସ୍‌ଟିଏଫ୍ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏଯାବତ୍ ୨୪ଟି ବାଘ ଚମଡା, ୧୨ଟି ହାତୀଦାନ୍ତ, ୭ଟି ହରିଣ ଚମଡା, ୯ଟି ବଜ୍ରକାପ୍ତା ଏବଂ ୧୫କିଲୋଗ୍ରାମ ଓଜନର ବଜ୍ରକାପ୍ତା କାତି ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୫୪ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ମିଳିଛି।