ଓଡ଼ିଶାରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ବଲାଙ୍ଗିର/ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ୍। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବଲାଙ୍ଗିର ଜିଲ୍ଲାର ହୋଇଥିବା ନେଇ ସୂଚନା ମିଳିଛି। ସମ୍ବଲପୁର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବଲାଙ୍ଗିର ସିଡିଏମ୍‌ଓ ଡ. ସ୍ନେହଲତା ସାହୁ ସୂଚନା ଦେଇଛନ୍ତି। ମୃତକ ଜଣଙ୍କ ବଲାଙ୍ଗିର ଆଗଲପୁର ଅଞ୍ଚଳର ଜଣେ ମହିଳା ବୋଲି ଜଣାପଡିଛି। ଏହା ଜିଲ୍ଲାର ପ୍ରଥମ ଓମିକ୍ରନ୍ କେସ୍ ଥିଲା।

ବଲାଙ୍ଗିର ସିଡିଏମଓ ସୂଚନା ଅନୁଯାୟୀ, ଆଗଲପୁର ଅଞ୍ଚଳର ଜଣେ ମହିଳା ସ୍ୱାସ୍ଥ୍ୟଗତ କାରଣରୁ ତଳେ ପଡିଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ସମ୍ବଲପୁର ସ୍ଥିତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୨୩ ତାରିଖରେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯିବା ପରେ ପରୀକ୍ଷା କରାଯାଇଥିଲା। ଏହାପରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଜେନୋମ ସିକ୍ୱେସିଂ ପାଇଁ ତାଙ୍କ ନମୁନା ପଠାଯାଇଥିଲା।

ବୁଧବାର ଦିନ ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଥିଲା। ରିପୋର୍ଟ ହସ୍ତଗତ ହେବା ପୂର୍ବରୁ ଗତ ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଏକ ଟିମ୍ ସଂପୃକ୍ତ ମୃତକଙ୍କ ଘରେ ପହଞ୍ଚି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆର୍‌ଟିପିସିଆର ଟେଷ୍ଟ କରିବା ସହ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି। କିନ୍ତୁ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି।