୨ ଟିଫିନ ବୋମା ଜବତ

ରାଉରକେଲା,ଏନ୍ଏନ୍ଏସ୍: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୋନୁଆ କୁଇଡ଼ା ଅଞ୍ଚଳରୁ ଯବାନମାନେ ୨ ଟି ଟିଫିନ ବୋମା ଜବତ କରିଛନ୍ତି। ଯବାନଙ୍କ ଗାଡ଼ି, ସ୍ଥାନୀୟ ପୁଲିସ ଗାଡ଼ିକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ନକ୍ସଲମାନେ ଏପରି କାଣ୍ଡ ଭିଆଇଥିବା ଅନୁମାନ କରାଯାଇଛି। ଶୁକ୍ରବାର ସିଆର୍ପିଏଫ୍ କମାଣ୍ଡାଣ୍ଟ ପଙ୍କଜ ରାୟଙ୍କ ନେତୃତ୍ୱରେ ସ୍ଥାନୀୟ ପୁଲିସ ସହାୟତାରେ କମ୍ବିଂ ଅପରେସନ କରାଯାଇଥିଲା।

ସୋନୁଆ ରେଳ ଷ୍ଟେସନ ନିକଟରୁ କୁଇଡ଼ା ରାସ୍ତାରୁ ପ୍ରଥମେ ବିଦ୍ୟୁତ ତାର ମିଳିଥିଲା। ଏହାର ଖୋଲତାଡ଼ କରାଗଲା ପରେ ପ୍ରାୟ ୩୦ କିଲୋଗ୍ରାମ ଓଜନର ଟିଫିନ ବୋମା ଜବତ କରାଯାଇଥିଲା। ଏହାକୁ ନିଷ୍କ୍ରିୟ କରାଯାଇଥିଲା। ସୂଚନାଯୋଗ୍ୟ, ନକ୍ସଲ ଅଭିଯାନକୁ ଦମନ କରିବା ସହ ଉପଦ୍ରୁତ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଏ ନେଇ ଗୋଏଲକେରା ଥାନା ଅଞ୍ଚଳରେ ଗତ ନଭେମ୍ବର ମାସରେ ଆଇଆର୍ବି କ୍ୟାମ୍ପ ସ୍ଥାପନ ହୋଇଥିଲା।

ନକ୍ସଲମାନେ ନିଜ ସ୍ଥିତି ଜାହିର କରିବା ପାଇଁ ଡିସେମ୍ବର ୬ରେ ଝାଡ଼ଖଣ୍ଡ ନିର୍ବାଚନର ଦିନକ ପୂର୍ବେ କ୍ୟାମ୍ପକୁ ବୋମା ପକାଇ ଉଡ଼ାଇଦେବାକୁ ଉଦ୍ୟମ କରିଥିଲେ। କ୍ୟାମ୍ପର ୨ଶହ ମିଟର ଦୂରତ୍ୱରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା ବୋଲି ସିଆରପିଏଫ୍ ପକ୍ଷରୁ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି।