ଏଥର ହେବନି ସିଟି ଫେଷ୍ଟିଭାଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚିଳିତ ବର୍ଷ ହେବନାହିଁ ଭୁବନେଶ୍ୱର ସିଟି ଫେଷ୍ଟିଭାଲ୍ ବା (ଡଟ୍ ଫେଷ୍ଟ୍)। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ଉତ୍ସବକୁ ବନ୍ଦ କରିବା ପାଇଁ ବିଡିଏ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ ମେ’ ମାସରେ ହୋଇଥିବା ଫାନି ବାତ୍ୟାରେ ରାଜଧାନୀ ଭୁବନେଶ୍ୱରେ ବ୍ୟାପକ କ୍ଷତି ହୋଇଛି। ଏଥିପାଇଁ ଏହି ଉତ୍ସବକୁ ବନ୍ଦ କରାଯାଇଇଛି ବୋଲି ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆସନ୍ତା ଡିସେମ୍ବର ୨୩ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ହେବ ବୋଲି ସବୁ ପ୍ରକାର ପ୍ରସ୍ତୁତି ସରିଥିଲା। ପୂର୍ବରୁ ନିର୍ଦ୍ଧାରିତ ଏହି ଉତ୍ସବ ପାଇଁ ଆର୍ପିଏଫ୍ ମଧ୍ୟ ଆହ୍ୱାନ ସରିଥିଲା। ମାତ୍ର ଶେଷ ମୂହୁର୍ତ୍ତରେ ଏହାକୁ ବାତିଲ କରିବା ପାଇଁ ବିଡିଏ ପକ୍ଷରୁ ଗତ ୩୦ ତାରିଖରେ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି।

ଗତ ବର୍ଷ ହକି ବିଶ୍ୱକପ୍ ସମୟରେ ରାଜଧାନୀ ଭୁବନେଶ୍ୱରକୁ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଡଟ୍ ଫେଷ୍ଟର ଆୟୋଜନ କରାଯାଇଥିଲା। ତେବେ ଏଥିରେ ବଲିଉଡ୍ର ବହୁ ନାମିଦାମୀ କଳାକାରଙ୍କ ସମାଗମ ହୋଇଥିବା ବେଳେ ଲୋକମାନଙ୍କ ମନୋରଞ୍ଜନର ଏକ ବଡ଼ ଭେଟିଦେଇଥିଲା। ରାଜଧାନୀରେ ପ୍ରଥମ ଥର ପାଇଁ ଏତେ ବଡ଼ କାର୍ଯ୍ୟକ୍ରମର ଆୟୋଜନ ପାଇଁ ରାଜଧାନୀବାସୀ ଏହାକୁ ବହୁ ମାତ୍ରାରେ ପସନ୍ଦ କରିଥିଲେ। ଫଳରେ ଲୋକଙ୍କ ପସନ୍ଦକୁ ଦେଖି ଏହାକୁ ପ୍ରତିବର୍ଷ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡଟ୍ ଫେଷ୍ଟସ୍ଥଳରେ ହିଁ ଘୋଷଣା କରିଥିଲେ।

ଯାହାଦ୍ୱାରା ଚିଳିତ ବର୍ଷ ପାଇଁ ଉତ୍ସବ ପାଳନ କରିବାକୁ ବିଡିଏ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ମାତ୍ର ଚଳିତ ବର୍ଷ ଏହାକୁ ବାତିଲ କରିବା ପରେ ଲୋକମାନଙ୍କ ମଧ୍ୟରେ ଟିକେ ନିରାଶା ଦେଖାଦେଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ କୋଣାର୍କ ମେରାଇନ୍ ଡ୍ରାଇଭ୍ ରିଟ୍ରିଟ୍ ଫେଷ୍ଟିଭାଲ୍ ଆୟୋଜନ କରାଯାଇଛି। ଯାହାକି ଲୋକମାନେ ପସନ୍ଦ କରିବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ଡିସେମ୍ବର ୬ ତାରିଖଠାରୁ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଆରମ୍ଭ ହେବାକୁ ଯାଉଥିବା ବେଳେ ପରେ ପରେ ଜନତା ମଇଦାନ ଆଦିବାସୀ ପଡ଼ିଆ ଓ ପ୍ରଦର୍ଶନୀ ପଡ଼ିଆରେ ବିଭିନ୍ନ ମେଳା ଲାଗି ରହିବ। ଏମିତି କି ଖଣ୍ଡଗିରି କୁମ୍ଭ ମେଳା ପର୍ଯ୍ୟନ୍ତ ଦର୍ଶକଙ୍କ ମନୋରଞ୍ଜନ ମେଳାର ତାଲିକା ରହିଛି। ଯାହାକି ଶୀତଦିନେ ଲୋକମାନଙ୍କ ବୁଲାବୁଲି ପାଇଁ ଖୋରାକ ଯୋଗାଇବ।