କାଲି ଘଂଟାଏ ବନ୍ଦ ରହିବ ୧୦୪ ନମ୍ବର

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ମୁକାବିଲା ନେଇ ୨୪ ଘଂଟିଆ ରିପୋର୍ଟ ଦେଲା ବେଳେ ସୁବ୍ରତ ବାଗଚୀଙ୍କ ସୂଚନା ଦେଇଛନ୍ତି। ଆସନ୍ତାକାଲି ସକାଳ ୬ ରୁ ୭ ଟା ଯାଏ ୧୦୪ ହେଲ୍ପଲାଇନ ନମ୍ବର ଘଂଟାଏ ପାଇଁ ବନ୍ଦ ରହିବ । ହେଲ୍ପଲାଇନ ନମ୍ବରର ଉନ୍ନତୀକରଣ ପାଇଁ ଏହାକୁ ସକାଳ ୬ ରୁ ୭ଟା ଯାଏଁ ୧୦୪କୁ ବନ୍ଦ ରଖାଯିବ ବୋଲି ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ ।

ଓଡିଶା କରୁଛି କରୋନା ମୁକାବିଲା । ଓଡିଶାରେ ଏଯାଏଁ ୩ଟି ପଜିଟିଭ ବାହାରିଥିବା ବେଳେ ସତର୍କ ଏବଂ ସଚେତନତା ପାଇଁ ରାଜ୍ୟ ସରକାର ସବୁ ଦିଗରୁ ଉଦ୍ୟମ ଚଳାଇଛନ୍ତି । ତେବେ ଲକଡାଉନ ସମୟରେ ଘରୁ ନବାହାରିବା ପାଇଁ ସରକାର ବାରମ୍ବାର ପରାମର୍ଶ ଦେଉଥିବା ବେଳେ ଲୋକଙ୍କ କୌଣସି ଅସୁବିଧା ନହେବାକୁ ବଡ ବଡ ଘୋଷଣା କରିଛନ୍ତି ସରକାର । ତେବେ କରୋନା ନେଇ ଆଜି ସୁବ୍ରତ ବାଗଚୀ ୩ୟ ଆକ୍ରାନ୍ତଙ୍କ କଥା କହିଛନ୍ତି ।

୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ରାଜ୍ୟର ୩ୟ କରୋନା ଆକ୍ରାନ୍ତ ବ୍ୟକ୍ତି । ତେବେ ଓଡିଶାରେ ୨୫୬ଟି ନମୂନା ପରୀକ୍ଷା ପାଇଁ ଯାଇଥିଲା । ସେଥିରୁ ସେହି ୩ ଜଣ ପଜିଟିଭ ଅଛନ୍ତି । ୩ୟ ଆକ୍ରାନ୍ତଙ୍କ ଅବସ୍ଥା ଉନ୍ନତୀ ଆସୁଛି । ଅନ୍ୟ ୨ ଜଣ ସ୍ୱାଭାବିକ ଅଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫୬ ଜଣଙ୍କୁ ଏକାନ୍ତବାସରେ ରଖାଯାଇଛି । ସେପଟେ କୋଭିଡ-୧୯ ପୋର୍ଟାଲରେ ମୋଟ ୭୦୮୦ ଜଣ ପଞ୍ଜୀକରଣ କରିଛନ୍ତି । ୪୨୮୬ ଜଣ ବିଦେଶରୁ ଫେରି ପଞ୍ଜୀକରଣ କରିଥିବା ବେଳେ ୨୭୯୪ ଜଣ ବାହାର ରାଜ୍ୟରୁ ଆସି ପଞ୍ଜୀକରଣ କରିଛନ୍ତି ।

ତେବେ ଆକ୍ରାନ୍ତଙ୍କ ସହ ସମ୍ପର୍କରେ ଆସିଥିବା ୧୧୨ ଜଣଙ୍କ ସହ ଯୋଗାଯୋଗ ହୋଇଛି । ମାତ୍ର ୧୫ ଜଣଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ । ଆକ୍ରାନ୍ତଙ୍କ ସହ ସଂସ୍ପର୍ଶରେ ଆସିଥିବା ୧୧୨ ମଧ୍ୟରୁ ୧୧ ଜଣଙ୍କ ନମୂନା ପରୀକ୍ଷା ପଠାଯାଇଛି । ଗତକାଲି ଜଣଙ୍କର ନମୂନା ନେଗେଟିଭ ଆସିଥିବା ବେଳେ ଅନ୍ୟ ୧୦ଟିର ରିପୋର୍ଟ ଆସିନାହିଁ ।