ଜେଇଇ ପରୀକ୍ଷାର୍ଥୀଙ୍କ ଯା’ ଆସ କଥା ବୁଝିବେ ସରକାର

ଭୁବନେଶ୍ୱର, ଏନ୍ଏନ୍ଏସ୍: କୋଭିଡ୍ ମହାମାରୀ ଭିତରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ବଡ଼ ଘୋଷଣା କରିଛନ୍ତି। ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଯା’ଆସ ଓ ରହଣି ପାଇଁ ସରକାର ବନ୍ଦୋବସ୍ତ କରିଥିବା ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଆଜି ସୂଚନା ଦେଇଛନ୍ତି।
ଶୁକ୍ରବାର ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଜେଇଇ ମେନ୍ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଓଡ଼ିଶାର ୭ଟି ସହରରେ ପ୍ରାୟ ୨୬୦୦ କେନ୍ଦ୍ରରେ ଏହି ପରୀକ୍ଷା କରାଯିବ। ପିଲାମାନଙ୍କର ଜିଲ୍ଲା ମୁଖ୍ୟାଳୟ ଠାରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଓ ପରୀକ୍ଷା କେନ୍ଦ୍ରରୁ ଗୃହ ଜିଲ୍ଲା ପର୍ଯ୍ୟନ୍ତ ରାଜ୍ୟ ସରକାର ପରିବହନ ବ୍ୟବସ୍ଥା କରିବେ। କେବଳ ଛାତ୍ରଛାତ୍ରୀ ନିଜର ଆଡ୍ମିଟ କାର୍ଡ ଦେଖାଇଲେ ମାଗଣାରେ ପରିବହନର ସୁବିଧା ପାଇପାରିବେ। ପରୀକ୍ଷା କେନ୍ଦ୍ର ନିକଟରେ ପିଲାମାନେ ରହିବାର ଆବଶ୍ୟକତା କରୁଥିଲେ, ଏଥିପାଇଁ ମଧ୍ୟ ସରକାରଙ୍କ ତରଫରୁ ହୋଇଥିବା ନୋଡାଲ ସେଣ୍ଟରରେ ରହିପାରିବେ। ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ପ୍ରାର୍ଥୀଙ୍କୁ ଯେପରି ଅସୁବିଧା ନହେବ, ସେଥିପାଇଁ ପ୍ରଶାସନ ଓ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ମହାମାରୀର କଡ଼ାକଡ଼ି ଆଇନକୁ ମଧ୍ୟ କୋହଳ କରାଯାଇଛି। ପରୀକ୍ଷାର୍ଥୀମାନେ ବ୍ୟକ୍ତିଗତ ଭାବେ ଆସିଥିଲେ ସେମାନଙ୍କୁ ସହଯୋଗ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରଛାତ୍ରୀଙ୍କୁ ଯେପରି ଅସୁବିଧା ନହୁଏ, ସେଥିପାଇଁ ସୁବ୍ୟବସ୍ଥା କରାଯାଉଛି। ୧୬ରୁ ୧୭ ହଜାର ପ୍ରାର୍ଥୀ ଭୁବନେଶ୍ୱର ଓ କଟକରେ ପରୀକ୍ଷା ଦେବେ। ଜେଇଇ ପରୀକ୍ଷା ନେଇ ଜିଲ୍ଲା ପ୍ରଶାସନ, ପୁଲିସ ଓ ପରିବହନ କମିଶନରଙ୍କୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପରେ ପିଲାମାନଙ୍କୁ ପହଞ୍ଚାଇବାର ଦାୟିତ୍ୱ ପ୍ରଶାସନ ନେବ। ସରକାରଙ୍କ ତରଫରୁ ପର୍ଯ୍ୟାପ୍ତ ପରିମାଣରେ ବସ୍ ଯୋଗାଇ ଦିଆଯିବ। ପିଲାମାନଙ୍କୁ ବସ ଭଡ଼ା ଦେବାକୁ ପଡ଼ିବ ନାହିଁ। ନିଟ୍ ପରୀକ୍ଷା ପାଇଁ ମଧ୍ୟ ଏଭଳି ବ୍ୟବସ୍ଥା କରାଯାଇଛି।
ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ ସିଂହ କହିଛନ୍ତି, ଜେଇଇ ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପାଇଁ କୌଣସି ସମସ୍ୟା ହେବ ନାହିଁ। ପ୍ରତି ଜିଲ୍ଲାର ଗୋଟିଏ ଲେଖାଏଁ ଆଇଟିଆଇ କଲେଜକୁ ନୋଡାଲ ସେଣ୍ଟର କରାଯାଇଛି। ଏଥିପାଇଁ ଛାତ୍ରଛାତ୍ରୀ ନୋଡାଲ୍ ସେଣ୍ଟରକୁ ଟେଲିଫୋନ ମାଧ୍ୟମରେ ଜଣାଇ ପାରିବେ। ସରକାରୀ, ଘରୋଇ ପଲିଟେକନିକ, ଇଂଜିନିୟରିଂ କଲେଜରେ ଥିବା ହଷ୍ଟେଲ୍ରେ ପିଲାମାନେ ରହିପାରିବେ। ନୋଡାଲ ଆଇଟିଆଇରେ ଏକ ସେଲ୍ କରାଯିବ ଏବଂ ପିଲାମାନେ କିପରି ପରୀକ୍ଷା ଦେବେ ଓ କେଉଁଠି ରହିବେ ନୋଡାଲ୍ ସେଣ୍ଟର ଦାୟିତ୍ୱ ନେବେ। ପିଲାମାନେ ଆଗୁଆ ନୋଡାଲ୍ ସେଣ୍ଟରରେ ନିଜର ସମସ୍ତ ତଥ୍ୟ ଦେବେ। ପିଲାଙ୍କ ସଂଖ୍ୟା ଦେଖି ବସ୍ ବ୍ୟବସ୍ଥା ହେବ। ଯେପରି ଅଧିକରୁ ଅଧିକ ଓଡ଼ିଶାର ପିଲା ଏହି ପରୀକ୍ଷାରେ ସାମିଲ୍ ହୋଇପାରିବେ, ସେଥିପାଇଁ ପରୀକ୍ଷାର୍ଥୀଙ୍କ ଯା’ ଆସ ନେଇ କୌଣସି କଟକଣା ରହିବନି ବୋଲି ସରକାର ସ୍ପଷ୍ଟ କରିଛନ୍ତି।